ଝାରସୁଗୁଡ଼ା, ମହାବିଦ୍ୟାଳୟ, ଯାନ୍ତ୍ରିକ ବିଦ୍ୟାଳୟ ମାନଙ୍କରେ ରାଗିଙ୍ଗ ଉପରେ ରୋକ ଲଗାଇବା ନିମନ୍ତେ ଶିକ୍ଷାନୁଷ୍ଠାନ ଗୁଡ଼ିକ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ସରୋଜ କୁମାର ସାମଲ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷମାନଙ୍କୁ ପରାମର୍ଶ ଦେଇଛନ୍ତି । ଆଜି ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ବୈଠକରେ ଜିଲ୍ଲାର ସମସ୍ତ ଯୁକ୍ତ ଦୁଇ, ଯୁକ୍ତ ତିନି ମହାବିଦ୍ୟାଳୟ ସମେତ ସମସ୍ତ ଯାନ୍ତ୍ରିକ ବିଦ୍ୟାଳୟ, ଆଇ.ଟି.ଆଇ., ନର୍ସିଂ ସ୍କୁଲ ଓ ଘରୋଇ ବିଦ୍ୟାଳୟ ମାନଙ୍କ ଅଧ୍ୟକ୍ଷ ଅଧ୍ୟକ୍ଷାମାନଙ୍କୁ ଆଣ୍ଟି ରାଗିଙ୍ଗ ସ୍କ୍ବାର୍ଡ ଓ ଇଣ୍ଟରନାଲ କମ୍ପ୍ଲେଣ୍ଟ କମିଟି ଗଠନ ସମ୍ପର୍କରେ ପଚାରି ବୁଝିବା ସହ ରାଗିଙ୍ଗ ସମ୍ପର୍କିତ ଘଟଣାର ତୁରନ୍ତ ଅନୁସନ୍ଧାନ କରିବା ଓ ଏ ଦିଗରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ଶିକ୍ଷାୟତନ ପରିସରରେ ଶୈକ୍ଷିକ ବାତାବରଣ ସଠିକ ଭାବରେ ପରିଚାଳନା କରିବା ଏବଂ ବରିଷ୍ଠ ଓ କନିଷ୍ଠ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା ପାଇଁ ଯତ୍ନବାନ ହେବା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଛାତ୍ରାବାସ ଦାୟିତ୍ଵରେ ରହୁଥିବା ଅଧ୍ୟକ୍ଷ, ୱାର୍ଡନ ଛାତ୍ରାବାସ ନିକଟରେ ରହିବା ଓ ପ୍ରତ୍ୟହ ଦୁଇ ଥର ଛାତ୍ରାବାସ ପରିଦର୍ଶନ କରିବା ପାଇଁ ପରାମର୍ଶ ଦେଇଥିଲେ । ଶାରୀରିକ ଓ ମାନସିକ ସ୍ତରରେ ରାଗିଙ୍ଗର ପ୍ରଭାବ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ କାଉନସେଲିଂ ମାଧ୍ୟମରେ ସଚେତନ କରାଇବା ସହ ରାଗିଙ୍ଗରେ ସମ୍ପୃକ୍ତ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ଦିଷ୍ଟ ଦଣ୍ଡ ବିଧାନ ସମ୍ପର୍କରେ ସତର୍କ କରାଇବାକୁ ଜିଲ୍ଲାପାଳ ଆଲୋଚନା କରିଥିଲେ ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଲଙ୍କେଶ୍ଵର ଅମାତ, ପ୍ରକଳ୍ପ ନିର୍ଦ୍ଦେଶକ ( ପୁନର୍ବାସ ଓ ଥଇଥାନ ) ଆଲୋମଣି ସେଠୀ, ଉପ ଜିଲ୍ଲାପାଳ ଦୟାମୟ ପାଢ଼ୀ, ଡେପୁଟି କଲେକ୍ଟର ଯୋଗେନ୍ଦ୍ର ମାଝୀ, ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପଲତା ମିଞ୍ଜ, ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟ ଅଧ୍ୟକ୍ଷ ଡି. ଖୁରା ପ୍ରମୁଖ ଉପସ୍ଥିତ ଥିଲେ ।