
ପୁରୀ, ଆଜି ସପ୍ତମୀ ତିଥି, ୩ ରଥର ଦକ୍ଷିଣମୋଡ କରାଯିବା ସହ ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ଆଜିଠୁ ମହାପ୍ରଭୁ ଶ୍ରୀମନ୍ଦିରକୁ ବାହୁଡ଼ାଯାତ୍ରାରେ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ଗୁଣ୍ଡିଚା ମନ୍ଦିର ସିଂହଦ୍ଵାରରେ ଥିବା ତିନି ରଥ ଦକ୍ଷିଣମୋଡ଼ କରାଯିବ । ତିନି ରଥ ନାକଚଣା ଦ୍ଵାରସ୍ଥିତ ଶରଧାବାଲିରେ ବିଜେ କରିବେ । ଏଥିପାଇଁ ଶରଧାବାଲି ସମ୍ମୁଖକୁ ସଫାସୁତରା କରାଯାଇଛି । ବାଲି ବିଛା ଯାଇ ସମତୁଲ କରାଯାଇଛି । ରଥଯାତ୍ରା ପରଠାରୁ ତିନି ରଥ ଉତ୍ତର ମୁହାଁ ହୋଇ ରହିଥିଲେ। ଦକ୍ଷିଣ ମୋଡ ନେବା ପୂର୍ବରୁ ତିନି ଦିଅଁଙ୍କ ଶ୍ରୀଅଙ୍ଗରୁ ତିନିଖଣ୍ଡ ଆଜ୍ଞାମାଳ ସକାଳ ଧୂପ ପରେ ରଥ ନିକଟରେ ପହଞ୍ଚିବ । ଏଥିପାଇଁ ମଧ୍ୟାହ୍ନ ସାଢେ ୧୨ଟା ସ୍ଥିର ହୋଇଛି । ଏହି ଅଜ୍ଞାମାଳ ରଥରେ ଲାଗି ହେବ । ମହାପ୍ରଭୁଙ୍କ ଆଜ୍ଞା ପାଇବା ପରେ ରଥ ଦକ୍ଷିଣମୋଡ଼ ନେବ । ପ୍ରଥମେ ଭଉଣୀ ସୁଭଦ୍ରାଙ୍କ ରଥ, ପରେ ଶ୍ରୀବଳଭଦ୍ରଙ୍କ ରଥ ଓ ଶେଷରେ ଶ୍ରୀଜଗନ୍ନାଥଙ୍କ ରଥର ଦକ୍ଷିଣ ମୋଡ କରାଯିବ । ବାହୁଡା ଯାତ୍ରା ପୂର୍ବରୁ ଗତକାଲି ତିନି ରଥର ମରାମତି କାମ ଶେଷ ହୋଇଛି । ତିନି ରଥ ଦକ୍ଷିଣମୋଡ ପାଇଁ ସଂଗ୍ରାମ କ୍ଲବ ସମ୍ମୁଖ ବଡଦାଣ୍ଡରେ ବାଲି ବିଛା ଯାଇଛି। ରଥଗୁଡିକ ପୋଲିସ ଟାଣିବା ସହ ମହାରଣା ଓ ଭୋଇ ସେବକ ଛକକୁ କାଠଦେଇ ମୋଡବାଙ୍କ କରାଇବେ। ଶରଧାବାଲିରୁ ଉଠାଦୋକାନୀମାନଙ୍କୁ ଉଠା ଯାଇ ବାଲି ବିଛାଯାଇଛି। ଭକ୍ତମାନେ ଆଡପଦର୍ଶନ ସହ ପଲ୍ଲିଶ୍ରୀ ମେଳା ବୁଲି ଦେଖୁଛନ୍ତି।