ସମ୍ବଲପୁର, ଆଜି ବିଧାନସଭାରେ ପଶ୍ଚିମାଞ୍ଚଳରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସଙ୍ଗ ଉଠାଛନ୍ତି ରେଙ୍ଗାଲି ବିଧାୟକ ନାଉରି ନାୟକ । ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଏ ସମ୍ପର୍କରେ ଜିଲ୍ଲା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ପଶ୍ଚିମାଞ୍ଚଳରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି ଆଜିର ନୁହେଁ କି କେବଳ ଆଇନଜୀବୀ ମାନଙ୍କ ଦାବି ମଧ୍ୟରେ ସିମୀତ ହୋଇ ରହିନାହିଁ । ଦୀର୍ଘ ୪ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟରୁ ଚାଲୁଥିବା ଏହି ଆନ୍ଦୋଳନ ଏବେ ଗଣଆନ୍ଦୋଳନର ରୂପ ନେବାରେ ଲାଗିଛି । ଜାତି, ଧର୍ମ, ବର୍ଣ୍ଣ ଓ ନିର୍ବିଶେଷରେ ସମଗ୍ର ପଶ୍ଚିମାଞ୍ଚଳବାସୀ ଏହି ଆନ୍ଦୋଳନରେ ଧିରେ ଧିରେ ସାମିଲ ହେବାରେ ଲାଗିଛନ୍ତି । କୋଟି କୋଟି ଲୋକଙ୍କର ଏକ ନ୍ୟାର୍ଯ୍ୟ ଦାବିକୁ ସରକାର ଅଣଦେଖା କରିବା ବସ୍ତୁତ୍ଵ ଏହା ଏକ ଅଗଣତାନ୍ତ୍ରିକ ଓ ସଙ୍କୀର୍ଣ୍ଣ ମନୋଭାବ ବୋଲି ଚର୍ଚ୍ଚାର ପ୍ରସଙ୍ଗ ହେବାରେ ଲାଗିଛି ।
ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ବାରମ୍ବାର ରାଜ୍ୟ ସରକାରଙ୍କୁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପାଇଁ ଅନୁରୋଧ କରୁଥିଲେ ମଧ୍ୟ ରାଜ୍ୟ ସରକାର ବିଭିନ୍ନ ଆଳ ଦେଖାଇ ଏହାକୁ ଏଡାଇ ଯିବା ସହ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ମାନ୍ୟବର ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ମତାମତ କି ସଂଲଗ୍ନ କରି ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସ୍ତାବ ଓ ଦସ୍ତାବେଜ ସହିତ ଏକ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେବା ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍ଜୁ ଚିଠି ଲେଖିବାର ଦୁଇ ମାସରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ସୁଦ୍ଧା ରାଜ୍ୟ ସରକାର ଅଦ୍ୟାବଧି କେବଳ ନୀରବଦ୍ରଷ୍ଟା ସାଜିଛନ୍ତି । ପ୍ରତ୍ୟେକ ଲୋକଙ୍କ ଦ୍ଵାରରେ ଆଇନକୁ ପହଞ୍ଚାଇବା, ଆଞ୍ଚଳିକ ବୈଶ୍ୟମତାକୁ ଦୂର କରିବା ପାଇଁ ରାଜ୍ୟରେ ହାଇକୋର୍ଟର ଦୁଇଟି ବେଞ୍ଚ ପ୍ରତିଷ୍ଠା ଜରୁରୀ । ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି ବହୁ ପୁରୁଣା ଓ ଏକ ନ୍ୟାର୍ଯ୍ୟ ଅଧିକାର ମଧ୍ୟ । ଏହା ବିଚାର ବିଭାଗୀୟ ବ୍ୟବସ୍ଥାକୁ ବିକେନ୍ଦ୍ରିକରଣ କରିବା ସହିତ ବିଚାର ପ୍ରକ୍ରିୟାକୁ ଆହୁରି ସରଳ ଓ ସହଜ କରିବ । ପ୍ରତ୍ୟେକ ପରିବାରର ଦ୍ଵାର ଦେଶ ପର୍ଯ୍ୟନ୍ତ ଆଇନ ବ୍ୟବସ୍ଥାକୁ ପହଞ୍ଚାଇବା ପାଇଁ ଏକ ମାଇଲ ଖୁଣ୍ଟ ସଦୃଶ୍ଯ ହେବ । ଯାହାକି ଏହି ଦୁଇ ଅଞ୍ଚଳବାସୀଙ୍କ ଭାବାବେଗ ସହିତ ମଧ୍ୟ ଜଡିତ । ଏଣୁ ରାଜ୍ୟ ସରକାର ଯଥା ଶୀଘ୍ର ଏହି ବିଷୟକୁ ଗୁରୁତ୍ଵ ସହକାରେ ଗ୍ରହଣ କରି କେନ୍ଦ୍ର ଆଇନ ମନ୍ତ୍ରୀ ଶ୍ରୀ ରିଜ୍ଜୁଙ୍କ ପତ୍ରର ଉତ୍ତର ଦିଅନ୍ତୁ ଓ ପଶ୍ଚିମାଞ୍ଚଳରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀ ମାଗିଥିବା ସମସ୍ତ ବିଷୟକୁ ସମ୍ବଳିତ କରି ଏକ ଠୋସ ଓ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପ୍ରେରଣ କରନ୍ତୁ ବୋଲି ଦାବି କରିଥିବା ଜିଲ୍ଲା ବିଜେପି ମୁଖପାତ୍ର ଜଣାଇଛନ୍ତି ।