ଭୁବନେଶ୍ୱର, ନୂତନ ଶ୍ରମ କୋର୍ଡ କାର୍ଯ୍ୟକ୍ାରୀ ହେଲେ ସିଆଇଟିୟୁ ଦୃଢ ବିରୋଧ କରିବା ସହିତ ବ୍ୟାପକ ଆନ୍ଦୋଳନ କରିବାକୁ ଘୋଷଣା କରିଛି । ନୂତନ ଶ୍ରମ କୋର୍ଡ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାର ୨୯ଟି ଶ୍ରମ ଆଇନର ବିଲୋପ କରି ମଜୁରୀ, ସାମାଜିକ ସୁରକ୍ଷା,ଶିଳ୍ପ ସମ୍ପର୍କ ଓ ବୃତିଗତ ସ୍ୱାସ୍ଥ୍ୟ ସୁରକ୍ଷା ଭଳି ୪ଟି କୋର୍ଡ ପ୍ରବର୍ତନ କରିଛନ୍ତି । ମଜୁରି କୋର୍ଡ କାର୍ଯ୍ୟକାରୀ ହେଲେ ଶ୍ରମିକ କର୍ମଚାରୀ ମାନେ ପୂର୍ବରୁ ପାଉଥିବା ବେତନ ତୁଳନାରେ କମ୍ ପାଇବେ । ଅବସର ନେଲେ ଅଧିକ ପିଏଫ୍ ଓ ଗ୍ରାଚ୍ୟୁଇଟ୍ ପାଇବାର ସ୍ୱପ୍ନ ନୂତନ ମଜୁରି କୋର୍ଡରେ ସରକାର ଦେଖାଉଛନ୍ତି । ଭବିଷ୍ୟନିଧି ପାଣ୍ଠିର ଗଚ୍ଛିତ ଅର୍ଥ ସରକାର ସେୟାର ବଜାରରେ ବିନିଯୋଗ କରିବେ । ଦେଶର ଅର୍ଥନୀତି ଯେଭଳି ସଂକଟଗ୍ରସ୍ତ ଗଚ୍ଛିତ ଅର୍ଥ ଫେରି ପାଇବାର କୌଣସି ଭରଷା ନାହିଁ । କାର୍ଯ୍ୟ ଦିବସ ୮ ଘଂଟାରୁ ୧୨ ଘଂଟା ପ୍ରଚଳନ, ୟୁନିୟନ ଗଠନ କରିବା, ଶ୍ରମିକର ସୁବିଧା ସୁଯୋଗ ପାଇଁ ଦାବିଦୂବା ସହ ସାମୁହୀକ ମୂଲଚାଲ, କାରଖାନା ବା ଉଦ୍ୟୋଗ ବନ୍ଦ ପାଇଁ ଅନୁମତି ନେବାକୁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ଆଦି ଆନେକ ଶ୍ରମିକ ବିରୋଧୀ ପ୍ରାବଧାନମାନ ଏହି କୋର୍ଡରେ ରହିଛି ।
କେନ୍ଦ୍ର ସରକାରଙ୍କ ଶ୍ରମ ଆଇନର ଏଭଳି ପରିବର୍ତନ ମାଲିକ ମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସେମାନେ କିପରି ସହଜରେ ବ୍ୟବସାୟ କରିବେ ଏଥିପାଇଁ ଉର୍ଦ୍ଦିଷ୍ଟ । କେନ୍ଦ୍ର ସରକାର ଏହି କୋର୍ଡକୁ ଯେଉଁଦିନ କାର୍ଯ୍ୟକାରୀ କରିବାକୁ ବିଜ୍ଞପ୍ତି ପ୍ରକାଶ କରିବେ ଏହାକୁ ଦୃଢ ବିରୋଧ କରାଯିବାକୁ ସିଆଇଟିୟୁ ରାଜ୍ୟ କମିଟି ଘୋଷଣା କରିଛି । ରାଜ୍ୟର ବିଭିନ୍ନ ଶିଳ୍ପରେ ଓ ଜିଲ୍ଳାରେ ତତ୍କାଳ ଏହା ବିରୋଧରେ ପ୍ରତିବାଦ ବିକ୍ଷୋଭ ପାଇଁ ସିଆଇଟିୟୁ ରାଜ୍ୟ ସଭାପତି ଜନାର୍ଦ୍ଦନ ପତି, ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି ଆହ୍ୱାନ ଦେଇଛନ୍ତି ।