ପୁରୀ, ଭକ୍ତଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତି । ଆଜି ଆଡ଼ପ ଦର୍ଶନର ତୃତୀୟ ଦିବସରେ ସକାଳୁ ଦ୍ଵାରଫିଟା ଯିବା ପରେ ଭିତର ଶୋଧ ଓ ମଙ୍ଗଳ ଆଳତୀ କରାଯାଇଥିଲା । ପରେ ମଇଲମ, ତଡ଼ପଲାଗି, ଅବକାଶ ପରେ ସର୍ବସାଧାରଣ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା । ଭକ୍ତ ମାନେ ଶୃଙ୍ଖଳିତ ଭାବେ ଧାଡିରେ ବ୍ୟାରିକେଡ୍ ଦେଇ ଯାଇ ଶ୍ରୀଜୀଉଙ୍କୁ ଜନ୍ମବେଦିରେ ଦର୍ଶନ କରି ନାକଚଣା ଦ୍ଵାର ଦେଇ ପ୍ରସ୍ଥାନ କରୁଛନ୍ତି । ଶ୍ରଦ୍ଧାଳୁ ମାନେ କିପରି ସୁରକ୍ଷିତ ଓ ସୁବିଧାରେ ଦର୍ଶନ କରିପାରିବେ ସେଥିପାଇଁ ଗୁଣ୍ଡିଚା ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ।
ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କଲେ ମହାପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି । ହଜାରେ ବର୍ଷ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଦର୍ଶନ କଲେ ଯେତିକି ପୂର୍ଣ୍ଣ୍ୟ ମିଳିଥାଏ, ଶ୍ରୀଗୁଣ୍ଡିଚା ମନ୍ଦିରରେ ଥରେ ଆଡ଼ପ ଦର୍ଶନ କଲେ ସମାନ ପୂର୍ଣ୍ଣ୍ୟ ମିଳିଥାଏ ବୋଲି କଥିତ ଅଛି । ଭକ୍ତ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସ୍ନାନ କରି ଆଡ଼ପ ଦର୍ଶନ ଓ ଆଡ଼ପ ଅବଢ଼ା ସେବନ, ବ୍ରାହ୍ମଣଙ୍କୁ ଭୋଜନ ଓ ଦକ୍ଷିଣା ଦେଲେ ଅଧିକ ଧର୍ମ ଫଳ ମିଳିଥାଏ ବୋଲି ବିଶ୍ଵାସ ରହିଛି ।
ପ୍ରକାଶ ଥାଉକି, ଗତକାଲି ଶ୍ରୀଜୀଉଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହୋଇଥିଲା । ଆଜି ହେରାପଚଂମୀ ପାଇଁ ଶ୍ରୀଜୀଉଙ୍କ ସ୍ଵତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି ।