ଭୁବନେଶ୍ୱର, ଦକ୍ଷିଣ ଝାଡ଼ଖଣ୍ଡ ଓ ପାର୍ଶ୍ୱବର୍ତୀ ଅଂଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ହେବା ଫଳରେ ସୋମବାର ଉତର ଓଡ଼ିଶା ପାର୍ଶ୍ୱବର୍ତୀ ଦକ୍ଷିଣ ଝାଡ଼ଖଣ୍ଡ ଓ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ଅଂଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଘୂର୍ଣ୍ଣି ବଳୟଟି ବାୟୁମଣ୍ଡଳରେ ୫.୮ କି.ମି ଯାଏଁ ବ୍ୟାପିଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି । ଏହି ଲଘୁଚାପ କ୍ଷେତ୍ର ପ୍ରଭାବରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ଆଗାମୀ ୨୪ଘଂଟା ମଧ୍ୟରେ ସମଗ୍ର ରାଜ୍ୟରେ ବର୍ଷାର ସମ୍ଭାବନା ରହିଥିବା ବେଳେ ରାଜ୍ୟର ୪ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ଏବଂ ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ଗଂଜାମ, ନୟାଗଡ଼, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ଏହି ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଏହି ସମୟ ମଧ୍ୟରେ କୋରାପୁଟ, ରାୟଗଡ଼ା, ଗଜପତି, ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ, ସମ୍ବଲପୁର, ସୁନ୍ଦରଗଡ଼ ଓ କେନ୍ଦୁଝର ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ସେହିପରି ୫ରୁ ୬ ତାରିଖ ମଧ୍ୟରେ ଗଜପତି, ଗଂଜାମ, ପୁରୀ,ଜଗତସିଂହପୁର, କଟକ, ଢେଙ୍କାନାଳ, ବଲାଙ୍ଗୀର, ବରଗଡ, ନୂଆପଡା,ସମ୍ବଲପୁର ଓ ଅନୁଗୁଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।