-
ହୋଇ ପାରିଲା ନାହିଁ ପ୍ରଶ୍ନୋତର କାର୍ଯ୍ୟକ୍ରମ ଓ ଶୂନ୍ୟକାଳ
ଭୁବନେଶ୍ୱର – ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ଜାଜପୁରର ପିଇଓ ସ୍ମୀତାରାଣୀ ହତ୍ୟା ମାମଲାକୁ ନେଇ ବିରୋଧୀ ଦଳ ମାନଙ୍କ ପକ୍ଷରୁ ପ୍ରବଳ ହଟ୍ଟଗୋଳ କରା ଯାଇଥିଲା । ଏହି କାରଣରୁ ବାଚସ୍ପତି ବିଧାନସଭାକୁ ବାରମ୍ବାର ସ୍ଥଗିତ କରି ଥିଲେ । ହଟ୍ଟଗୋଳ କାରଣରୁ ବିଧାନସଭାରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ଓ ଶୂନ୍ୟକାଳର କାର୍ଯ୍ୟକ୍ରମ ହୋଇ ପାରିନ ଥିଲା । ବାଚସ୍ପତି ପ୍ରଥମେ ୧୦.୩୩ରୁ ୧୨ଟା ଓ ପରେ ୧୨.୦୯ରୁ ୧୨.୩୯ ଯାଏ ସ୍ଥଗିତ ରଖିଥିଲେ ।
ଗୁରୁବାର ନିର୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ବିଧାନସଭା ୧୦.୩୦ରେ ଆରମ୍ଭ ହୋଇଥିଲା । ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ପ୍ରଶ୍ନୋତର କାର୍ଯ୍ୟକ୍ରମକୁ ଆରମ୍ଭ କରିବାକୁ ଚାହିଁଥିଲେ । ସେତେବେଳେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ନିଜ ଆସନରେ ଠିଆ ହୋଇ ସ୍ମିତାରାଣୀ ମାମଲାରେ ଆଲୋଚନା କରିବାକୁ ଦାବି କରିଥିଲେ । କିନ୍ତୁ ବାଚସ୍ପତି ଏହା ଉପରେ ଧ୍ୟାନ ଦେଇ ନ ଥିଲେ । ବିଧାୟକ ତାରା ପ୍ରସାଦ ବାହିନୀପତି ଓ କଂଗ୍ରେସର ଅନ୍ୟ ବିଧାୟକ ମାନେ ଏହାର ପ୍ରତିବାଦରେ ଗୃହର ମଧ୍ୟ ଭାଗକୁ ଆସି ନାରାବାଜୀ କରିବା ଆରମ୍ଭ କରି ଦେଇଥିଲେ । ଅନ୍ୟ ପକ୍ଷରେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ମଧ୍ୟ ତାଙ୍କର ଆସନରେ ଠିଆ ହୋଇ କିଛି କହିବାର ଦେଖା ଯାଇଥିଲା । ହେଲେ ହଟ୍ଟଗୋଳ କାରଣରୁ ତାହା ପ୍ରେସ ଗ୍ୟାଲେରୀକୁ ସ୍ପଷ୍ଟ ହୋଇ ନ ଥିଲା । ଏହା ପରେ ବିଜେପି ବିଧାୟକ ମାନେ ମଧ୍ୟ ପ୍ଲାକାର୍ଡ ଧରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜୀ ଆରମ୍ଭ କରି ଦେଇଥିଲେ । ବିଜେପି ବିଧାୟକ ମାନେ ଧରି ଥିବା ପ୍ଲାକାର୍ଡରେ ଲେଖା ଯାଇଥିଲା ଯେ ସ୍ମିତାରାଣୀ ହତ୍ୟାକାରୀଙ୍କୁ ସରକାର ସୁରକ୍ଷା ଦେଉଛନ୍ତି, ରଙ୍ଗଶାଳାର ସିସିଟିଭି କୁଆଡେ ଗଲା, ସ୍ମିତାରାଣୀଙ୍କୁ ନ୍ୟାୟ ପାଇଁ ମହିଳା କମିଶନଙ୍କୁ ବରଖାସ୍ତ କର, ତାଙ୍କୁ ଚରିତ୍ରହୀନ କହିଥିବା ପୋଲିସ ଏସପିଙ୍କୁ ବରଖାସ୍ତ କର, ରୁପେଶ ଭଦ୍ରଙ୍କୁ ଧାରା ୩୦୨ରେ ଗିରଫ କରା ଯାଉ । ଅନ୍ୟ ପକ୍ଷରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମକୁ ଚଢିବାକୁ ଚେଷ୍ଟା କରୁଥିବାର ଦେଖିବାକୁ ମିଳିଥିଲା । ବାଚସ୍ପତି ସେମାନଙ୍କୁ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ନିବେଦନ କରିଥିଲେ । ହେଲେ ସ୍ଥିତିରେ କୌଣସି ପ୍ରକାର ପରିବର୍ତନ ନ ଆସିବା କାରଣରୁ ବାଚସ୍ପତି ୧୦.୩୩ରୁ ୧୨ ଟା ଯାଏ ଗୃହ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
ଦିନ ୧୨ଟା ବେଳେ ପୁଣି ଥରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବାଚସ୍ପତି ସର୍ବଦଳୀୟ ବୈଠକରେ ହୋଇଥିବା ନିଷ୍ପତିକୁ ସୁରକ୍ଷା କର୍ମଚାରୀଙ୍କ ବଳୟ ମଧ୍ୟରେ ପଢିବା ଆରମ୍ଭ କରିଥିଲେ ।କଂଗ୍ରେସ ବିଧାୟକ ମାନେ ନିଜ ଆସନରେ ବସି ନାରାବାଜୀ କରୁଥିବା ବେଳେ ବିଜେପି ବିଧାୟକ ମାନେ ଗୃହ ମଧ୍ୟକୁ ଆସି ହଟ୍ଟଗୋଳ କରିଥିଲେ । ଏହା ଫଳରେ ବାଚସ୍ପତି ୧୨.୦୯କୁ ୧୨.୩୯ ଯାଏ ସ୍ଥଗିତ ରହିଲା ବୋଲି ଘୋଷଣା କରିଥିଲେ ।