ବଲାଙ୍ଗିର, ପଶ୍ଚିମ ଓଡିଶାର ଲୋକକଳା ସର୍ବଜନ ବିଦିତ । ଲୋକକଳା ଓ ଏହାର ମୌଳିକତାକୁ ବଞ୍ଚାଇ ରଖିବା ପାଇଁ ପଶ୍ଚିମ ଓଡିଶାର ଗ୍ରାମାଞ୍ଚଳରେ କଳାକାର ମାନେ ନିଜ ଜୀବନ ଜଞ୍ଜାଳକୁ ଉତ୍ସର୍ଗ କରି ଜୀବନବ୍ୟାପୀ ସାଧନା ଜାରୀ ରଖିଛନ୍ତି । କିନ୍ତୁ, କଳାକାର ପେନସନ ଓ ଚିକିତ୍ସା ସହାୟତା କ୍ଷେତ୍ରରେ ସେମାନେ ଅବହେଳା ଓ ଉପେକ୍ଷାର ଶୀକାର ହୋଇଥିବା କଥା ରାଜ୍ୟର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା କହିଛନ୍ତି । ସୂଚନା ଅଧିକାର ଆଇନ ବଳରେ ରାଜ୍ୟ ସରକାରଙ୍କ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରଦାନ କରିଥିବା ତଥ୍ୟରୁ ଏହା ଜଣାଯାଇଛି । ଜୀବନ ବ୍ୟାପୀ ଉତ୍ସର୍ଗିତକୃତ ଭାବେ ବିଭିନ୍ନ ପ୍ରକାର କଳାର ସାଧନା କରିଥିବା ଦୁଃସ୍ଥ କଳାକାରଙ୍କ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ପେନସନ ଓ ଚିକିତ୍ସା ସହାୟତା ପ୍ରଦାନ କରୁଛନ୍ତି । ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ କଳାକାରମାନଙ୍କୁ ୧୨୦୦ ଟଙ୍କା ପେନସନ ବାବଦକୁ ଦେଉଥିବା ବେଳେ କେନ୍ଦ୍ରର ଆର୍ଥିକ ସହାୟତା ପାଇଁ ଯୋଗ୍ୟତା ଭିତ୍ତିରେ ସୁପାରିଶ କରିଥାନ୍ତି । ରାଜ୍ୟ ସହାୟତା ପାଇଁ ଯୋଗ୍ୟତା ବୟସ ପୁରୁଷ କଳାକାରଙ୍କ ପାଇଁ ୫୦ ବର୍ଷରୁ ଅଧିକ ହୋଇଥିବା ବେଳେ ମହିଳା କଳାକାରଙ୍କ ପାଇଁ ୪୦ ବର୍ଷରୁ କମ୍ ରହିଛି । ସେହିଭଳି କେନ୍ଦ୍ରୀୟ ସହାୟତା ପାଇଁ ସର୍ବନିମ୍ନ ବୟସସୀମା ୬୦ ବର୍ଷ ରହିଛି । ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରଦାନ କରିଥିବା ତଥ୍ୟରୁ ଜଣାଯାଇଛି ଯେ, ୨୦୨୧ ମସିହାରେ ରାଜ୍ୟ ସରକାର କେନ୍ଦ୍ରୀୟ ପେନସନ ଓ ଚିକିତ୍ସା ସହାୟତା ପାଇଁ ରାଜ୍ୟର ସମୂଦାୟ ୧୫୬୬ ଜଣ ଦୁଃସ୍ଥ କଳାକାରଙ୍କ ନାମ ୫ଟି ପର୍ଯ୍ୟାୟରେ କେନ୍ଦ୍ରକୁ ସୁପାରିଶ କରିଥିଲେ । ରାଜ୍ୟ ସରକାରଙ୍କ ଭତ୍ତା ପାଉଥିବା ଏହି ୧୫୬୬ ଜଣ କଳାକାରଙ୍କ ମଧ୍ୟରୁ ସମଗ୍ର ପଶ୍ଚିମ ଓଡିଶାରୁ ମାତ୍ର ୬୧ ଜଣଙ୍କ ନାମ କେନ୍ଦ୍ର ସରକାରଙ୍କ ଭତ୍ତା ଓ ସହାୟତା ପାଇଁ ସୁପାରିଶ କରାଯାଇଛି । ସେହିପରି ୨୦୧୯ ମସିହାରେ ଦୁଇଟି ପର୍ଯ୍ୟାୟରେ ରାଜ୍ୟର ସମୂଦାୟ ୩୪୮ ଜଣ ଭତ୍ତା ପାଉଥିବା କଳାକାରଙ୍କ ନାମ କେନ୍ଦ୍ରୀୟ ଭତ୍ତା ପାଇଁ କେନ୍ଦ୍ରକୁ ସୁପାରିଶ କରାଯାଇଛି । ଏହି ୩୪୮ ଜଣଙ୍କ ମଧ୍ୟରୁ ମାତ୍ର ୨ ଜଣ ପଶ୍ଚିମ ଓଡିଶାର କଳାକାର ରହିଥିବା ଜଣାଯାଇଛି । ପଶ୍ଚିମ ଓଡିଶାର ଏହି ଦୁଇ ଜଣ କଳାକାର ସୁବର୍ଣ୍ଣପୁର ଜିଲ୍ଲାର ବୋଲି ଜଣାଯାଇଛି । ୨୦୧୮ ମସିହାରେ ରାଜ୍ୟର ସମୂଦାୟ ୧୧୪ ଜଣଙ୍କ ନାମ ସୁପାରିଶ କରାଯାଇଛି । ଏହା ମଧ୍ୟରୁ ମାତ୍ର ୨୭ ଜଣ ପଶ୍ଚିମ ଓଡିଶାର କଳାକାର ଅଟନ୍ତି । ଏହି ବର୍ଷ ମାତ୍ର ୩ ଜଣ ଆକାଶବାଣୀ କଳାକାରଙ୍କ ନାମ ମଧ୍ୟ ଏହି ୧୧୪ ଜଣଙ୍କ ମଧ୍ୟରେ ଥିଲା । ଏହି ୩ ଜଣଯାକ କଟକର ବୋଲି ଜଣାଯାଇଛି । ପଶ୍ଚିମ ଓଡିଶାର ପୁରପଲ୍ଲୀରେ ଦୁଃସ୍ଥ ଓ ଅସହାୟ କଳାକାର ଖୁନ୍ଦି ହୋଇ ରହିଥିବା ବେଳେ ଓ ଏହି ଅଞ୍ଚଳର ଅର୍ଥିକ ସ୍ଥିତି ଅପେକ୍ଷାକୃତ ଦୁର୍ବଳ ଥିବାବେଳେ ପଶ୍ଚିମ ଓଡିଶାର କଳାକାରଙ୍କୁ ସରକାରଙ୍କ ଆର୍ଥିକ ସହାୟତା ଯୋଜନାରେ ସାମିଲ କରାଯାଇ ପାରୁନାହିଁ । ଏହି ଅଞ୍ଚଳର କଳାକାରମାନଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ କଳାକାର ମାନେ କିଭଳି ଓ କେବେ ଆବେଦନ କରିପାରିବେ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରୀ ବ୍ୟବସ୍ଥା ସଚେତନ କରି ପାରିନାହିଁ । ଆଧୁନିକ ଯନ୍ତ୍ର ସଙ୍ଗୀତର ପ୍ରଭାବରେ ପଶ୍ଚିମ ଓଡିଶାର କଳାକାର ମାନେ କିଭଳି ଭାବେ ଦୟନୀୟ ସ୍ଥିତିକୁ ଆସିଛନ୍ତି ଏବଂ ପାରମ୍ପରିକ କଳା ଓ କଳାକାର ଦୟନୀୟ ଅବସ୍ଥାର ସମ୍ମୁଖୀନ ହେଉଛନ୍ତି ଏହା ସର୍ବଭାରତୀୟ ଓ ବିଶ୍ଵସ୍ତରରେ ପ୍ରଶଂସିତ ହେଇଥିବା ଭୁଖା ଚଳଚ୍ଚିତ୍ରରେ ନିଚ୍ଛକ ଭାବେ ପ୍ରଦର୍ଶନ କରାଯାଇଥିଲା । କିନ୍ତୁ, ସରକାର ତଥାପି ଉଦାସୀନ ରହିବା ପଶ୍ଚିମ ଓଡିଶା ପ୍ରତି ଆକ୍ରୋଶମୂଳକ ଅବହେଳା ବୋଲି ସୂଚନା କର୍ମୀ ହେମନ୍ତ ପଣ୍ଡା ଅଭିଯୋଗ କରିଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ଭୂଖା ଚଳଚ୍ଚିତ୍ର ଦେଖି ପଶ୍ଚିମ ଓଡିଶାର ଲୋକକଳା ଓ ଦୁଃସ୍ଥ କଳାକାରଙ୍କ ଅବସ୍ଥାକୁ ହୃଦୟଙ୍ଗମ କରିବା ପାଇଁ ସୂଚନା କର୍ମୀ ଶ୍ରୀ ପଣ୍ଡା ଅନୁରୋଧ କରିବା ସହ ପଶ୍ଚିମ ଓଡିଶାର କଳାକାରଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଶ୍ରୀ ପଣ୍ଡା ଦାବୀ କରିଛନ୍ତି ।
Related Stories
November 23, 2024