ବାଲେଶ୍ୱର – ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ପଣପଣା ଠାରେ ଥିବା ଫାଲକନ୍ ମେରାଇନ୍ ଏକ୍ସପର୍ଟ ଲିମିଟେଡ଼୍ ନାମକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗତକାଲି ରାତିରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ଶତାଧିକ ଅସୁସ୍ଥ ଘଟଣାରେ ଆଜି ପ୍ରଶାସନ ପକ୍ଷରୁ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଏହି ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିକୁ ସିଲ୍ କରାଯାଇଛି । ସମ୍ପୃକ୍ତ କମ୍ପାନୀ ବିରୋଧରେ ମାମଲା ରୁଜ୍ଜୁ କରାଯିବା ସହ ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଫ୍ୟାକ୍ଟ୍ରିର ଜିଏମ୍, ପ୍ରଡ଼କ୍ସନ ମ୍ୟାନେଜର୍, ଏଚଆର୍ ମ୍ୟାନେଜର୍, ସିଫ୍ଟ ଇନଚାର୍ଜ, ସେଫ୍ଟି ମ୍ୟାନେଜର୍ ଏବଂ ଦୁଇ ଜଣ ସୁପରଭାଇଜର । ତେବେ କେଉଁ କାରଣରୁ ଗ୍ୟାସ୍ ଲିକ୍ ହେଲା ସେନେଇ ଅଦ୍ୟାବଧି କିଛି ସ୍ପଷ୍ଟ ହୋଇନାହିଁ । ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ଗ୍ୟାସ୍ ଲିକ୍ ଘଟଣାର ତଦନ୍ତ ପାଇଁ ୬ ଜଣିଆ ଫରେନସିକ୍ ଟିମ୍ ଫ୍ୟାକ୍ଟ୍ରିରେ ପହଂଚିଛନ୍ତି । ଫ୍ୟାକ୍ଟ୍ରିର ସମସ୍ତ କର୍ମଚାରୀଙ୍କୁ ବାହାରକୁ ବାହାର କରାଯିବା ସହ ଫ୍ୟାକ୍ଟ୍ରିକୁ ସିଲ୍ କରିଦିଆଯାଇଛି । ବାଲେଶ୍ୱର ଏସପି ଘଟଣାସ୍ଥଳରେ ପହଂଚି ଛାନଭିନ୍ ଜାରୀ ରଖିଛନ୍ତି ।
କମ୍ପାନୀର ଜଣେ କର୍ମଚାରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ, ମାଛ ଫ୍ରିଜିଙ୍ଗ୍ ପ୍ରୋସେସ୍ (ଶୀତଳୀକରଣ ପ୍ରକ୍ରିୟା) ପାଇଁ ସାଧାରଣତଃ ଆମୋନିଆ ଗ୍ୟାସ୍ ର ବ୍ୟବହାର କରାଯାଇଥାଏ । ଯାହାକି ମନୁଷ୍ୟ ପାଇଁ କ୍ଷତିକାରକ ଓ ସମୟେ ସମୟେ ଏହା ମୃତ୍ୟୁର କାରଣ ପାଲଟି ଥାଏ । କୌଣସି ସ୍ଥାନରେ ପାଇପ୍ ଲାଇନ୍ ରୁ ଗ୍ୟାସ୍ ଲିକ୍ ହୋଇ ଏଭଳି ଦୁର୍ଘଟଣା ଘଟିଥାଇପାରେ ।