ବଲାଙ୍ଗିର,ବଲାଙ୍ଗିର ତହସିଲଦାର ମଘବାନ ବାଗଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଛି । ଜମି କେଳେଙ୍କାରୀର ମାଷ୍ଟରମାଇଣ୍ଡ ସାଜିଛନ୍ତି ଖୋଦ୍ ବଲାଙ୍ଗିର ତହସିଲଦାର। ୯ ଜଣଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ଅଭିଯୁକ୍ତ ରହିଛନ୍ତି ତହସିଲଦାର। ମୃତ ବ୍ୟକ୍ତିଙ୍କ ଜମି ହଡ଼ପ କରି ଏବେ ତହସିଲଦାର ମାମଲାରେ ଛନ୍ଦି ହୋଇଛନ୍ତି। ଏନେଇ ବଲାଙ୍ଗିର ସଦର ଥାନାରେ ଦଫା ୪୨୦, ୪୬୮, ୪୭୧, ୩୪ ଧାରାରେ ରୁଜୁ ହୋଇଥିବା ମାମଲା (ନଂ. ୨୪୯) ଏହା କହୁଛି। ଏକ ସାଙ୍ଘାତିକ ଅଭିଯୋଗ ଅନୁସାରେ, ଜିଲ୍ଲା ସଦର ମହକୁମାରେ ଜମି କେଳେଙ୍କାରୀର ନେତୃତ୍ଵ ନେଇଛନ୍ତି ତହସିଲଦାର। ନିଜ ଅଧିକାରୀ, କର୍ମଚାରୀ ଓ ଦଲାଲ ଲଗାଇ ମୃତ ଲୋକଙ୍କ ନାଁରେ ତିଆରି କରାଯାଇଛି ପରିଚୟପତ୍ର। ନକଲି ଲୋକଙ୍କୁ ଅସଲି ଦର୍ଶାଇ ଅନ୍ୟ ଲୋକଙ୍କ ନାଁରେ ଜମି ବିକ୍ରି କରାଯାଇଛି। କିଛି ଜମି ଅନ୍ୟ ଖାତାକୁ ବି ଚାଲିଗଲାଣି। ଯାହା କରିବା ପାଇଁ ତହସିଲଦାରଙ୍କ ଡିଜିଟାଲ ସ୍ବାକ୍ଷର ବାଧ୍ୟତାମୂଳକ। ଆଉ ସବୁ ହେଲା ପରେ ମ୍ୟୁଟେସନ୍ ହୋଇ ପଟ୍ଟା ବି ବାହାରି ସାରିଲାଣି। ସବୁଥିରେ ରହିଛି ତହସିଲଦାରଙ୍କ ସ୍ଵାକ୍ଷର। ପ୍ରାଥମିକ ପ୍ରମାଣ ପାଇବା ପରେ ତହସିଲଦାରଙ୍କ ବିରୋଧରେ ବଲାଙ୍ଗିର ସଦର ଥାନାରେ ରୁଜୁ ହୋଇଛି ମାମଲା।ଏହି ଚର୍ଚ୍ଚିତ ଜମି ହଡ଼ପ ଘଟଣାଟି ଏମିତି, ଜମି ବିକ୍ରେତା ହେଉଛନ୍ତି ମୃତ ହର୍ଷ ଷାଣ୍ଢ। ସଦର ଥାନା ଆଦର୍ଶ ସ୍କୁଲ ପଛପଟ ଧୁମାମରା ମୌଜାରେ ତାଙ୍କର ଜମି। ଜମି କିଣିଛନ୍ତି ଲବଣୀ ପୃଷ୍ଟି। ଏଠି ଦଲିଲ୍ ନକଲି ନୁହେଁ। କ୍ରେତା ବି ନକଲି ନୁହେଁ। କିନ୍ତୁ, ଦୁଇ ଅସଲି ଭିତରେ ଗୋଟିଏ ନକଲି ତାହା ହେଉଛନ୍ତି ବିକ୍ରେତା ମୃତ ହର୍ଷ। ଅସଲି ଜମି ମାଲିକ ହର୍ଷ ଷାଣ୍ଢଙ୍କର ଗତ ୨୦୦୫ ମସିହାରୁ ମୃତ୍ୟୁ ହୋଇସାରିଛି। ତାଙ୍କ ମୃତ୍ୟୁର ପ୍ରମାଣପତ୍ର ବି ରହିଛି। କିନ୍ତୁ, ହର୍ଷ ଷାଣ୍ଢଙ୍କ ଜାଗାରେ ଅନ୍ୟ ଏକ ଗାଁର ଜଣେ ବୃଦ୍ଧଙ୍କ ଫଟୋ ଲଗାଇ ତାଙ୍କୁ ହର୍ଷ ଷାଣ୍ଢ ସଜାଇ ଦିଆଯାଇଛି। ନକଲି ହର୍ଷ ଷାଣ୍ଢ ସ୍ଵାକ୍ଷର ଜାଣିଥିଲେ ବି ତାଙ୍କଠାରୁ ଟିପ ଚିହ୍ନ ନିଆଯାଇଛି। ସବୁ କିଛି ଜାଲିଆତି କରି ଏକର ୦.୫୦ ଡିସିମିଲ ଜାଗାକୁ ଗତ ୨୦୨୧ ମସିହା ମାର୍ଚ୍ଚ ୩ ତାରିଖରେ ଲବଣୀ ପୃଷ୍ଟିଙ୍କ ନାଁରେ ରେଜିଷ୍ଟ୍ରି କରାଯାଇଛି। ଘଟଣା ସଂପର୍କରେ ବହୁ ଦିନ ପରେ ମୃତ ହର୍ଷଙ୍କ ପରିବାର ଲୋକ ଏକଥା ଜାଣିଲେ। ତହସିଲଦାରଙ୍କୁ ଜଣାଇଥିଲେ। ହେଲେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଲବଣୀ ପୃଷ୍ଟି ଓ ତାଙ୍କ ସ୍ଵାମୀ ମାଧବ ପୃଷ୍ଟିଙ୍କୁ ସବୁ କିଛି ଖବର ଦେଉଥିଲେ ତହସିଲଦାର। ତେଣୁ ଶେଷରେ ବଲାଙ୍ଗିର ତହସିଲଦାରଙ୍କ ବିରୋଧରେ ସଦର ଥାନାରେ ହର୍ଷଙ୍କ ପୁଅ ଅଭିଯୋଗ କରିଥିଲେ। ମୃତ ହର୍ଷଙ୍କ ତୃତୀୟ ବୋହୂ ହେଉଛନ୍ତି ଅହଲ୍ୟା ଷାଣ୍ଢ। ତିନି ଭାଇ ଭିତରେ ଭାଗ ହେବାକୁ ଥିବା ଏହି ଜମି ଖଣ୍ଡକ ଅହଲ୍ୟାଙ୍କ ସାହାଭରସା ଥିଲା। ହେଲେ ତାହା ବି ଅଜାଣତରେ ଚୋରି ହୋଇଗଲା। ମୃତ ହର୍ଷଙ୍କ ବଡ଼ପୁଅ ଲାଲ ଷାଣ୍ଢ କହିଛନ୍ତି, ଗରିବ ଲୋକ ହୋଇଥିବାରୁ ତହସିଲଦାର ଏଭଳି କାରନାମା କରିଛନ୍ତି। ମୃତ ହର୍ଷଙ୍କ ନାତି ବିକାଶ ଷାଣ୍ଢ କହିଛନ୍ତି, ଜମି ହରାଇ ପୂରା ପରିବାର ଚିନ୍ତାରେ ରହିଛୁ। ଜମି ନପାଇଲେ ତହସିଲ କାର୍ଯ୍ୟାଳୟକୁ ଯାଇ ସାମୂହିକ ଆତ୍ମହତ୍ୟା କରିବୁ। ସେପଟେ ନକଲି ଜମି ବିକ୍ରେତା କିଏ ସେ ସଂପର୍କରେ ଖବର ନେବାରୁ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ନକଲି ଜମି ବିକ୍ରେତା ହେଉଛନ୍ତି ବଲାଙ୍ଗିର ସହରରୁ ଦଶ କି.ମି. ଦୂର ସିକାବେହେଙ୍ଗା ଗ୍ରାମର ଉତ୍ତମ ନାଗ।
ସେ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ତାଙ୍କୁ ଭୁତାଇ ଜମି କିଣାରେ ସାକ୍ଷୀ ହେବାକୁ ଜ୍ଵାଇଁପୁଅ ଘରୁ ଡାକି ନେଇଯାଇଥିଲେ ବୋଲି ସେ କହିଛନ୍ତି।ଏଭଳି ଜମି ଲୁଟ୍ କୁ ନେଇ ଜିଲ୍ଲାପାଳଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଛି ଓ କାର୍ଯ୍ୟାନୁଷ୍ଠାନ ପରେ ସବିଶେଷ ପ୍ରତିକ୍ରିୟା ଦେବେ ବୋଲି ସେ କହିଥିଲେ। ତହସିଲଦାର ମଘବାନ ବାଗଙ୍କୁ ପଚାରିବାରେ ଏଥିରେ ତାଙ୍କର କୌଣସି ସଂପୃକ୍ତି ନାହିଁ। ତେବେ ଏ ସଂକ୍ରାନ୍ତରେ ଆରଆଇମାନଙ୍କୁ ଚିଠି କରିଛି ବୋଲି କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି ।