
ପୁରୀ, ଆଜି ସୋମବାର ଆଷାଢ଼ ମାସ ଶୁକ୍ଳ ପକ୍ଷ ପଚଂମୀ ତିଥିରେ ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ‘ବନକଲାଗି’ ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ଵିତୀୟ ଭୋଗମଣ୍ଡପ ପରେ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ସନ୍ଧ୍ୟା ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ବନ୍ଦ ରହିବ । ଭକ୍ତ ମାନେ ସଂନ୍ଧ୍ୟା ୭ଟା ପୂର୍ବରୁ ଶ୍ରୀଗୁଣ୍ଡିଚାମନ୍ଦିର ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ ।
ଶ୍ରୀଜୀଉ ମାନଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବାକୁ ବନକଲାଗି ନୀତି କୁହାଯାଏ । ଏହା ଏକ ଗୁପ୍ତ ସେବା । ଦଇତାପତି ମାନେ ଶ୍ରୀଜିଉଙ୍କ ଏହି ସେବା କାର୍ଯ୍ୟ କରିଥାନ୍ତି । ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାର ନୀତିରେ ପ୍ରାକୃତିକ ରଙ୍ଗ ହିଙ୍ଗୁଳ, ହରିତାଳ, ପ୍ରିୟଙ୍ଗୁ, କସ୍ତୁରୀ, ପ୍ରାକୃତିକ କଳା, ଧଳା ଓ ନାଲି ରଙ୍ଗର ବ୍ୟବହାର ହୋଇଥାଏ ।
ଆଜି ଆଡ଼ପ ଦର୍ଶନ ଦ୍ଵିତୀୟ ଦିନରେ ଭୋର୍ ୫ଟା ୫୦ ରେ ଦ୍ଵାରଫିଟା, ୬ଟା ୨୫ରେ ମଙ୍ଗଳ ଆଳତୀ ପରେ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ହୋଇଥିଲା । ସକାଳ ସାଢ଼େ ୮ଟାରେ ସର୍ବସାଧାରଣ ଦର୍ଶନ ସାହାଣ ମେଲା ଅନୁଷ୍ଠିତ ହୋଇଥିଲା । ୧୧ଟା ୧୦ ରେ ସକାଳ ଧୂପ ପୂଜା ଆରମ୍ଭ ହୋଇଥିଲା । ଏହାପରେ ଅନ୍ୟାନ୍ୟ ନୀତି ଚାଲୁ ରହିଛି ।