
ମାଲକାନଗିରି,ଚିତ୍ରକୋଣ୍ଡା ଥାନା ସବ ଇନିସପେକ୍ଟର ବିଘ୍ନ କିଶୋର ଦଳ ପୋଲିସ ଟିମ ସହ ଗତକାଲି ରାତ୍ରରେ ଟନେଲ କ୍ୟାମ୍ପ, ଡାଇକ – ୩ , ଡାଇକ – ୨, ନାକାମାମୁଡି ଏବଂ ନୂଆଗୁଡା ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବାବେଳେ ସେମାନେ ଦେଖିବାକୁ ପାଇଥିଲେ ଯେ ଜଣେ ବ୍ୟକ୍ତି ନାକାମାମୁଡି ଗ୍ରାମ ରାସ୍ତାରୁ ପ୍ରାୟ ୬୦୦ ମିଟର ଦୂରରେ ପାଞ୍ଚଟି ପ୍ଲାଷ୍ଟିକ ବ୍ୟାଗ ଧରି ଠିଆ ହୋଇଛି। ପୋଲିସ୍ ପାର୍ଟୀକୁ ଦେଖି ସେ ଜଙ୍ଗଲକୁ ଦୌଡ଼ି ସେଠାରୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ପାର୍ଟି ତାର ପିଛା କରି ଧରିବାରେ ସଫଳ ହୋଇଥିଲା। ଅଧିକ ଯାଞ୍ଚ କରିବାରୁ ଜଣାପଡିଥିଲା ଯେ ଧରା ପଡ଼ିଥିବା ବ୍ୟାଗରେ ୧୧୯ କେଜି ୧୦୦ ଗ୍ରାମ ଗଞ୍ଜେଇ ରହିଥିଲା। ଅଭିଯୁକ୍ତ ଏହାକୁ ଆନ୍ଧ୍ରପ୍ରଦେଶର ସିଲେରୁ ଅଞ୍ଚଳକୁ ରପ୍ତାନି କରିବାକୁ ଚେଷ୍ଟା କରୁଥିଲା। ଏ ସଂକ୍ରାନ୍ତରେ ଚିତ୍ରକୋଣ୍ଡା ଥାନା କେସ୍ ନଂ ୮୦/୨୨ ରେ ଏକ ମାମଲା ପଞ୍ଜିକୃତ ହୋଇଛି ଏବଂ ଗିରଫ ହୋଇଥିବା ନୂଆଗୁଡା ଗ୍ରାମର ଶ୍ୟାମ ଖରାକୁ ଆଜି କୋର୍ଟଚାଲାଣ କରାଯାଇଛି।