ଭୁବନେଶ୍ୱର,ରାଜ୍ୟ ସରକାର ଚଳିତବର୍ଷ କୃଷି ବଜେଟର ପରିମାଣ ବୃଦ୍ଧି କରିଛନ୍ତି । କିନ୍ତୁ ଏହି ପରିମାଣ ବୃଦ୍ଧି ମଧ୍ୟରେ ଜଳସେଚନ ବଜେଟକୁ ମିଶାଇ କେବଳ ଚାଷ ପାଇଁ ଅଧିକ ଅର୍ଥ ଦିଆଯାଇଛି ବୋଲି ସରକାର ମିଛ ପ୍ରଚାର କରୁଛନ୍ତି । କୃଷି କ୍ଷେତ୍ର ଲାଭଦାୟକ ନିଯୁକ୍ତିର ଉତ୍ସ ପାଲଟିଛି ବୋଲି ନା ମୁଖ୍ୟମନ୍ତ୍ରୀ ନା କୃଷିମନ୍ତ୍ରୀ କେହି ଛାତିରେ ହାତ ଦେଇ କହିପାରିବେ କି? ପଡ଼ୋଶୀ ଛତିଶଗଡ଼ ରାଜ୍ୟ ଧାନ ଉପରେ ଶହ ଶହ କୋଟି ଟଙ୍କାର ବୋନସ ଦେଇ ଆସୁଥିଲା ବେଳେ ଆମ ସରକାର ମୁଖ୍ୟ ଫସଲ ଧାନ ଉପରେ ୧୦୦ ଟଙ୍କା ମଧ୍ୟ ବୋନସ ଦେବାକୁ ଇଚ୍ଛାପ୍ରକାଶ କରିନାହାଁନ୍ତି ବୋଲି ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ପ୍ରକାଶ କରିଛନ୍ତି ।
କାଳିଆ ବଜେଟକୁ ୧୦ ହଜାରରୁ ୬ ହଜାର ଟଙ୍କାକୁ କାହିଁକି ସଙ୍କୁଚିତ କଲେ ବୋଲି ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ପ୍ରଶ୍ନ ଉଠାଇଛନ୍ତି ।
ଶ୍ରୀ ନନ୍ଦ କହିଛନ୍ତି ଯେ, ମଣ୍ଡି, ଶୀତଳ ଭଣ୍ଡାର, ଜଳସେଚନ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କେଉଁଥି ପାଇଁ ସରକାରଙ୍କ ଆଗ୍ରହ ନାହିଁ । ଚାଷୀ ଆତ୍ମହତ୍ୟାର ସ୍ଥାୟୀ ସମାଧାନ, ଚାଷୀ ପେନସନ ପାଇଁ ବର୍ଷ ବର୍ଷ ଧରି ଲଢେଇ ଚାଲିଥିଲେ ବି ଏ ନେଇ ସରକାର ବଜେଟରେ ବ୍ୟବସ୍ଥା କରିନାହାଁନ୍ତି । ନାଁ ଚାଷୀଙ୍କର ଗାଁ ସରକାରୀ କର୍ମଚାରୀ ଓ କର୍ପୋରେଟଙ୍କର ବୋଲି ଶ୍ରୀ ନନ୍ଦ ଅଭିଯୋଗ କରିଛନ୍ତି । ବର୍ଷ ବର୍ଷ ଧରି ପ୍ରଚାରଭିତ୍ତିକ ବଜେଟ ଚାଷୀଙ୍କୁ ଗରୀବ ଓ ଦାଦନରେ ପରିଣତ କରିଛନ୍ତି । ଗୋଟିଏ ଶୁଖିଲା ନଈ ସରକାର ଖୋଳି ସେଥିରେ ମଧୁର ମାଛ ଚାଷ କରିବା ପାଇଁ ଉଦ୍ୟମ କରିନାହାଁନ୍ତି । ସେହିଭଳି କୁକୁଡ଼ା ଚାଷୀମାନେ କମ୍ପାନୀ ଦ୍ୱାରା ଶୋଷିତ ହୋଇ ଚାଷରୁ ମୁହଁ ଫେରାଉଥିଲା ବେଳେ ସେମାନଙ୍କ ପାଇଁ କିଛି ପ୍ରୋତ୍ସାହନ ନାହିଁ । ଦୁଗ୍ଧ ଚାଷୀଙ୍କ ଲିଟର ପିଛା ୫ ଟଙ୍କା ବୃଦ୍ଧି ପାଇଁ ମଧ୍ୟ ଚିନ୍ତା କରାଯାଉନାହିଁ । ତେଣୁ କୃଷି ବଜେଟ ଚାଷୀଙ୍କ ଆୟ ବଢାଇବା ପ୍ରଚାର ତୁଚ୍ଛା ଡ଼ାହା ମିଛ ବୋଲି ଶ୍ରୀ ନନ୍ଦ ଅଭିଯୋଗ କରିଛନ୍ତି ।