ଭୁବନେଶ୍ୱର ,ବିଜେବି କଲେଜ ଛାତ୍ରୀ ନିବାସରେ ୩ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଡିସିପିଙ୍କ ନେତୃତ୍ୱରେ ୩ ଟି ଟିମ୍ ଗଠନ କରାଯାଇଛି । ହଷ୍ଟେଲରେ ରହୁଥିବା ସମସ୍ତ ୧୩୪ ଛାତ୍ରୀଙ୍କୁ ପଚରାଉଚରା କରାଯାଉଛି । କମିଶନରେଟ୍ ପୋଲିସ୍ ବିଜେବି କଲେଜର ହଷ୍ଟେଲକୁ ଯାଇ ତଦନ୍ତ ଆରମ୍ଭ କରିଛି । ରୁଚିକା ସୁଇସାଇଡ୍ ନୋଟ୍ ରେ ଉଲ୍ଲେଖ କରିଥିବା ୩ ଜଣ ସିନିୟର ଛାତ୍ରୀ କିଏ , କେବେଠୁ ସେମାନେ ରାଗିଙ୍ଗ କରୁଥିଲେ ଏବଂ କାହାର ଚାପ ଯୋଗୁ ରୁଚିକା ଆତ୍ମହତ୍ୟା କଲେ ସେନେଇ ତଦନ୍ତ ଜାରି ରଖିଛି କମିଶନରେଟ୍ ପୋଲିସ ।
ଜୋନ୍-୪ର ଏସିପି ପରେଶ କୁମାର ରାଉତ କହିଛନ୍ତି ବିଜେବି କଲେଜ ହଷ୍ଟେଲରେ ପ୍ରାଥମିକ ପର୍ଯ୍ୟାୟରେ ବର୍ତମାନ ସୁଦ୍ଧା ୩୦ ଜଣ ଛାତ୍ରୀଙ୍କ ବୟାନ ରେକର୍ଡ ହୋଇଛି । ଏହାଛଡ଼ା ଛାତ୍ରୀ ନିବାସର ଅଧୀକ୍ଷକ, ୱାର୍ଡେନ, ଆସିଷ୍ଟାଂଟ ୱାର୍ଡେନ, ଫ୍ଲୋର ଇନଚାର୍ଜ ଓ ହଷ୍ଟେଲ ଦାୟିତ୍ୱରେ ଥିବା ଏକାଧିକ ଲୋକଙ୍କୁ ପଚରାଉଚରା ସହ ସେମାନଙ୍କ ବୟାନ ରେକର୍ଡ କରାଯାଇଛି । ତିନୋଟି ଟିମ୍ ଗଠନ କରି ତଦନ୍ତ କରୁଛି ପୋଲିସ । ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି, ଦୋଷୀଙ୍କ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି ।
ସୂଚନାଯୋଗ୍ୟ, କଟକ କଖଡିର ରୁଚିକା ମହାନ୍ତି ଶନିବାର ପୂର୍ବାହ୍ନରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର କାରୁବାକୀ ଛାତ୍ରୀନିବାସରେ ଆତ୍ମହତ୍ୟା କରିଥିଲେ । ୩ ସିନିୟର୍ ଛାତ୍ରୀଙ୍କ ମାନସିକ ନିର୍ଯାତନା ଅସହ୍ୟ ହେବାରୁ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇଛନ୍ତି ବୋଲି ରୁଚିକାଙ୍କ ରୁମ୍ ରୁ ମିଳିଥଇବା ସୁଇସାଇଡ୍ ନୋଟ୍ ରେ ଲେଖାଯାଇଛି । ରାଗିଂ ଭଳି ସଂଗିନ୍ ଅଭିଯୋଗ ପ୍ରସଙ୍ଗ ଉଠିବା ପରେ ବଡ଼ଗଡ଼ ଥାନା ପୁଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ଛାନିଭିନ୍୍ ଆରମ୍ଭ କରିଛି । ରୁଚିକାଙ୍କ ମା’ ବିଦ୍ୟୁତପ୍ରଭା ମହାନ୍ତି ରାଗିଂ ପାଇଁ ତାଙ୍କ ଝିଅର ଜୀବନ ଯାଇଛି ବୋଲି ଏତଲା ଦେଇଛନ୍ତି ।