ଭୁବନେଶ୍ୱର, ବଙ୍ଗଳାଦେଶ ଏବଂ ତାର ପାର୍ଶ୍ୱବର୍ତୀ ଅଂଚଳରେ ଥିବା ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ସମୁଦ୍ର ପତନ ଠାରୁ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି । ଏହା ପ୍ରଭାବରେ ଆଗାମୀ ୨୪ ଘଂଟା ମଧ୍ୟରେ ଉତର ଓଡିଶା ଏବଂ ତାର ପାର୍ଶ୍ୱବର୍ତୀ ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷର ଜାରି ସତର୍କ ସୂଚନା ଅନୁଯାୟୀ ଆଗାମୀ ୨୪ଘଂଟା ମଧ୍ୟରେ ସମଗ୍ର ରାଜ୍ୟରେ ବର୍ଷାର ସମ୍ଭାବନା ରହିଥିବା ବେଳେ ରାଜ୍ୟର ୫ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ଏବଂ ୧୭ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସୋମବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର କେନ୍ଦୁଝର, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାରେ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେଥିପାଇଁ ଏହି ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ସମୟ ମଧ୍ୟରେ ବୌଦ୍ଧ, କଳାହାଣ୍ଡି, ନୂଆପଡା, କନ୍ଧମାଳ, ମାଲକାନଗିରି, କୋରାପୁଟ, ସୋନପୁର, ନବରଙ୍ଗପୁର, ଭଦ୍ରକ, ଯାଜପୁର, କଟକ, ଦେବଗଡ, ଢ଼େଙ୍କାନାଳ, ମୟୂରଭଞ୍ଜ, ଝାରସୁଗୁଡା, ବାଲେଶ୍ୱର ଓ ଅନୁଗୁଳ ପ୍ରଭୃତି ୧୭ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ସେହିପରି ୪ରୁ ୫ ତାରିଖ ମଧ୍ୟରେ ମୟୁରଭଂଜ, କେନ୍ଦୁଝର , ସୁନ୍ଦରଗଡ, ସମ୍ବଲପୁର ଓ ଦେବଗଡ ଆଦି ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେଥିପାଇଁ ଏହି ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ସମୟ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା , କଟକ, ଜଗତସିଂହପୁର, କନ୍ଧମାଳ , ପୁରୀ, ଢେଙ୍କାନାଳ , ଅନୁଗୁଳ, କଳାହାଣ୍ଡି , ବୌଦ୍ଧ, ନବରଙ୍ଗପୁର ଓ ନୂଆପଡା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।