ମାଲକାନଗିରି, ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଳକ ସଦର ମହକୁମାରେ ଘଟିଛି ଏକ ଅଘଟଣ। ନରେନ୍ଦ୍ର ରାଜୁ ନାମକ ବ୍ୟକ୍ତି ଗତ ୨ ମାସ ପୂର୍ବେ ମାଛ ଚାଷ ପାଇଁ ଏକ ପୋଖରୀ ଖନନ କରିଥିଲେ । ଖନନ କାର୍ଯ୍ୟରେ ବ୍ୟବହୃତ ଜେସିବିଟି ଦୀର୍ଘ ଦିନ ହେଲା ସାହିରେ ପଡିରହିଥିଲା । ସକାଳେ ବର୍ଷା ହୋଇ ଛାଡିଯିବା ପରେ ସାହିର ତିନି ଜଣ ନାବାଳକ ଜେସିବି ଉପରେ ଖେଳୁଥିଲେ ହଠାତ ଜେସିବି ଉପରେ ଦେଇ ଯାଇଥିବା ବିଦ୍ୟୁତ ତାର ଛିଣ୍ଡି ପଡିବାରୁ ବିଜୁଳି ସଂପର୍ଶରେ ଆସି ତିନି ନାବାଳକ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ତଳକୁ ଛିଟିକି ପଡ଼ିଥିଲେ । ନିକଟରେ ଛେଳି ଚରାଉଥବା ଝିଅଟି ପିଲାଙ୍କ ଅବସ୍ଥା ଦେଖି ଭୟରେ ଦୌଡ଼ି ଗାଁ ଲୋକଙ୍କୁ ଖବର ଦେଇଥିଲା। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ ସହାୟତାରେ ତିନି ନାବାଳକଙ୍କୁ ଉଦ୍ଧାର କରି ଖଇରପୁଟ ସ୍ଵାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତିନି ଗୁରୁତର ଶିଶୁଙ୍କୁ ଅଧିକ ଚିକିତ୍ସା ନିମନ୍ତେ କୋରାପୁଟ ପଠାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଶିଶୁର ମୃତ୍ୟୁ ଘଟିଛି। ବର୍ତମାନ ଅନ୍ୟ ୨ ଶିଶୁଙ୍କ ଅବସ୍ଥା ଗୁରୁତର ଥିବାବେଳେ ସେମାନେ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି । ଏ ବାବଦରେ ସ୍ଥାନୀୟ ବାସିନ୍ଦା ଚିକିତ୍ସାରେ ସହାୟତା ପାଇଁ ଜେସିବି ମାଲିକ ଓ ବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେମାନେ ସାହାଯ୍ୟ କରିବା ବଦଳରେ ନାଲିଆଖି ଦେଖାଇଥିଲେ । ଗୁରୁତର ଦୁଇ ନାବାଳକ ଶିଶୁ ହେଲେ ଦଶରଥ ଭୂମିଆ (୧୫), ହରି ମୁଦୁଲି (୧୩) ଏବଂ ମୃତ ନାବାଳକ ଗୋକୁଳ ପାତ୍ର (୧୪)। ବର୍ତମାନ ଏହି ଘଟଣା ପାଇଁ କିଏ ଦାୟୀ ତାକୁ ଦଣ୍ଡବିଧାନ ହେବା ସହ ଉକ୍ତ ପରିବାର ଗୁଡ଼ିକ କିଭଳି ସରକାରୀ ସହାୟତା ପାଇପାଇବେ ସେନେଇ ଅଞ୍ଚଳ ବାସୀଙ୍କ ତରଫରୁ ଦାବି ହେଉଛି।