ବଲାଙ୍ଗିର,ଉଲୁଣ୍ଡା ବ୍ଲକ ପାତାଳି ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କ ଘୋଷ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସକାଳୁ ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ଦ୍ଵାର ଫିଟା, ମଙ୍ଗଳ ଆଳତୀ ଓ ଖେଚୁଡ଼ି ଭୋଗ ଲାଗିପରେ ଶ୍ରୀଜିଉଙ୍କୁ ବେଶ କରାଯାଇଥିଲା। ପରେ ଶ୍ରୀଜିଉଙ୍କୁ ଗୋଟିପହଣ୍ଡିରେ ଅଣାଯାଇଥିଲା। ଗାଁ ଗଡ଼ତ୍ୟା ଚମରା ଅମାତ ଛେରା ପହରା କରିଥିଲେ। ପୂର୍ବ ପରମ୍ପରା କ୍ରମେ ସୁଭଦ୍ରାଙ୍କ ରଥକୁ କେବଳ ମହିଳା ମାନେ ଟାଣିଥିଲେ। ବିଶେଶ୍ଵର ପାଢ଼ୀ, ଦେବାର୍ଚନ ଦାସ ଓ ଗୁଣାକର ପଣ୍ଡା ପୂଜାର୍ଚନା କରିଥିଲେ। କରୋନା କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଶ୍ରଦ୍ଧାଳୁ ମାନେ ପାହାଡ ଚଢିବାର ମଜା ନେଇଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ତଥା ପାତାଳି ଟ୍ରଷ୍ଟ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଅତିଥି ଭାବରେ ବିରମହାରାଜପୁର ଉପଜିଲ୍ଲାପାଳ ଅଶୋକ ଭୋଇ ଓ ଏସଡିପିଓ ଡୋଲମଣି ଭୋଇ ଯୋଗଦେଇଥିଲେ। ପଙ୍କଜ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ। ପାତାଳି ଟ୍ରଷ୍ଟର ସମ୍ପାଦକ ଉତ୍ତର ପାତ୍ର, ପୂର୍ଣଚନ୍ଦ୍ର ପାଢ଼ୀ, ମହାଦେବ ସାହୁ, ଜାନକୀରାମ ଦେହୁରୀଙ୍କ ସମେତ ପାତାଳି ସେନା ପ୍ରମୁଖ ସହଯୋଗ କରିଥିଲେ।
ସେହିପରି ଉଲୁଣ୍ଡା ସମେତ ଗୌଡ଼ଗାଁ, କୁକିଆ, ଜଗନ୍ନାଥପାଲି, ହରିଣାପାଲି, ଲସ୍ତଳା, କୋଟସମଲେଇ, ଖୁଣ୍ଟୁଳାପାଲି, ପଳାସ, ବିଦୁରୂପାଲି, କପୁରଡ଼ା, କଳାପଥର, ରକ୍ସା ଆଦି ବିଭିନ୍ନ ଗ୍ରାମରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଛି।