ବଲାଙ୍ଗିର, ବଲାଙ୍ଗିର ପୌରପାଳିକାରେ କନିଷ୍ଠଯନ୍ତ୍ରୀ ଓ ଠିକାଦାର ମାନଙ୍କ ମଧୁଚନ୍ଦ୍ରିକାରେ ଲକ୍ଷ ଲକ୍ଷ ଟଙ୍କାର କାମକୁ ନିମ୍ନମାନର କରାଯାଉଥିବା ଅଭିଯୋଗ ଉଠୁଛି । ଗତ କିଛିବର୍ଷ ହେଲା ବଲାଙ୍ଗିର ପୌରପାଳିକାକୁ ବହୁ ପରିମାଣରେ ସହରାଞ୍ଚଳ ବିକାଶ ବିଭାଗ ତରଫରୁ ଅନୁଦାନ ଆସୁଛି ଓ ରାସ୍ତାଘାଟ ନିର୍ମାଣ ଚାଲିଛି । ଗତ ୨୦୧୯ ବନ୍ୟା ପରେ କୋଟି କୋଟି ଟଙ୍କାର ଏଫଡିଆର ପାଣ୍ଠିରୁ ମଧ୍ୟ ଅନୁଦାନ ଆସିଥିଲା । ସେଥିରୁ ପାଟଣାଗଡ ରୋଡର ଆମର ବଲାଙ୍ଗିର ପାର୍କ ଠାରୁ ଲର୍କିପାଲି ଆମପଡାକୁ ଯାଇଥିବା ରାସ୍ତା ନିର୍ମାଣ ପାଇଁ ୧୫ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା । ପ୍ରାୟ ୧୦୦ ମିଟର ଡ୍ରେନକାମ ସହିତ କଂକ୍ରିଟ ରାସ୍ତାକାମ ପାଇଁ ଅଟକଳ କରି ଟେଣ୍ଡର କରାଯାଇଥିଲା । ନିର୍ଦ୍ଧାରିତ ସମୟରେ ଠିକଦାର କାମ ସାରିଦେଇ ବିଲ ମଧ୍ୟ ନେଇଗଲେ । କିନ୍ତୁ, ନିର୍ମାଣର ୬ ମାସ ନଯାଉଣୁ ଏହି ରାସ୍ତାର କଂକ୍ରିଟ ଭୁଷୁଡି ପଡିଛି । ରାସ୍ତାକାମ ନିମ୍ନମାନର ହୋଇଥିବାରୁ ରାସ୍ତାର ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ବେଳେ ଅନେକ ସ୍ଥାନରେ କଂକ୍ରିଟ ଭୁଷୁଡି ପଡିଛି । ଏହି ରାସ୍ତାକାମ ବେଳେ କନିଷ୍ଠଯନ୍ତ୍ରୀ କିମ୍ବା ଏମଇ କେହି ମଧ୍ୟ ତଦାରଖ କରିନଥିବା ଅଭିଯୋଗ ହେଉଛି । ଫଳରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ଉଠିଛି । ଲକ୍ଷାଧିକ ଟଙ୍କାର ରାସ୍ତାକାମ ନିମ୍ନ ମାନର ହେଉଥିବା କାରଣରୁ ଜନଅସନ୍ତୋଷ ବୃଦ୍ଧି ପାଉଛି । ଏହି କାମକୁ କନିଷ୍ଠଯନ୍ତ୍ରୀ ଗୋଲକ ସାହୁଙ୍କ ତତ୍ଵାବଧାନରେ କରାଯାଉଥିଲା । କିନ୍ତୁ, ତାଙ୍କ ଅପରଗତାରୁ ତାଙ୍କର ଅନେକ ଗୁଡିଏ କାମ ନିମ୍ନ ମାନର ହେଉଥିବା ଲକ୍ଷ୍ୟ କରାଯାଇଛି । ସେହି କାରଣରୁ ଓଁକାର ଛକରେ ଚାଲିଥିବା ମାର୍କେଟ କମ୍ପେ୍ଲକ୍ସ କାମରେ ହେରାଫେରି କାରଣରୁ ତାଙ୍କୁ ଜିଲ୍ଲାପାଳ ନିଳମ୍ବିତ ମଧ୍ୟ କରିଛନ୍ତି । ଏହି ରାସ୍ତାର ଅବସ୍ଥାକୁ ଦେଖିଲେ ଯେକେହି ହେଲେ କନିଷ୍ଠ ଯନ୍ତ୍ରୀଙ୍କ ଅପାରଗତାକୁ ହିଁ ଦାୟୀ କରିବ । ସହର ଭିତରେ ଅଧିକାରୀମାନଙ୍କ ନାକତଳେ ଏଭଳି ନିମ୍ନମାନର କାମ ହେଉଥିବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଏହି ରାସ୍ତାକାମ ଉପରେ କନିଷ୍ଠଯନ୍ତ୍ରୀ ଗୋଲକ ସାହୁଙ୍କୁ ଫୋନରେ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କ ଫୋନ ଲାଗୁନଥିଲା । ସେହିପରି ପୌରପାଳିକାର ଏମଇ ଥିବା ଜନସ୍ଵାସ୍ଥ୍ୟ ବିଭାଗର ଏସଡିଓ ସୁବ୍ରତ ନାଏକଙ୍କୁ ପଚାରିବାରୁ ସବୁ ରାସ୍ତାକୁ କାମ ବେଳେ ଯାଇ ହେଉନଥିବା ସ୍ଵୀକାର କରିଥିଲେ ଓ ରାସ୍ତାଟି କିଭଳି ଫାଟିଲା ଦେଖିବେ ବୋଲି କହିଛନ୍ତି । ଜିଲ୍ଲାପାଳ ନିଜେ ଏହି ରାସ୍ତା କାମର ତଦନ୍ତ କରିବାକୁ ଜନସାଧାରଣରେ ଦାବି ହେଉଛି ।
Related Stories
November 23, 2024