ବ୍ରହ୍ମପୁର: ବର୍ଷା ଜଳ ନିଷ୍କାସନ ବ୍ରହ୍ମପୁର ସହରର ଏକ ପ୍ରମୁଖ ସମସ୍ୟା । ପ୍ରତି ବର୍ଷ ବର୍ଷାରେ ଏହି ସମସ୍ୟା ଦେଖିବାକୁ ମିଳିଥାଏ । ବିଶେଷକରି ଡ୍ରେନ୍ ସଫେଇ ହେଉନଥିବା ଯୋଗୁ ବର୍ଷା ହେଲେ ପରିସ୍ଥିତି ସାଂଘିତକ ହୋଇପଡ଼ିଥାଏ । ରାସ୍ତାରେ ବର୍ଷା ଜଳ ଚାଲିବା ସହ ଲୋକମାନଙ୍କ ଘର ଭିତରେ ପଶିଯାଏ । ଦୀର୍ଘ ବର୍ଷ ହେଲା ଲାଗି ରହିଥିବା ଏହି ସମସ୍ୟାର ସମଧାନ ପାଇଁ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଉଦ୍ୟମ ଆରମ୍ଭ ହୋଇଛି । ଶନିବାର ଠାରୁ ନିଗମ ତରଫରୁ ସ୍ବତନ୍ତ୍ର ଭାବେ ‘ଡ୍ରେନ୍ ସଫେଇ’ ଅଭିଯାନ ଆରମ୍ଭ ହୋଇଯାଇଛି।
ଏହି ଅଭିଯାନରେ ସହରର ପ୍ରମୁଖ ୨୦ଟି ସ୍ଥାନରେ ଡ୍ରେନ୍ଗୁଡ଼ିକର ସଫେଇ ସହ ପଙ୍କୋଦ୍ଧାର କରାଯିବ। ଏଥି ପାଇଁ ସ୍ବତନ୍ତ୍ର ଭାବେ ଅତିରିକ୍ତ ୧୦୦ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ନିୟୋଜିତ କର୍ମଚାରୀଙ୍କୁ ସୁରକ୍ଷା ଉପକରଣ ମଧ୍ୟ ଯୋଗାଇ ଦିଆଯାଇଛି । ପର୍ଯ୍ୟାୟ କ୍ରମେ ଏହି ସେଫଇ ଅଭିଯାନ ଆୟୋଜିତ ହେବ । ଶନିବାର ଆସିକା ରୋଡର କର୍ପୋରେସନ ଛକ ଠାରୁ ଅଭିଯାନ ଆରମ୍ଭ ହୋଇଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ଼ି, ମହାନଗର ନିଗମର କମିଶନର ଜେ.ସୋନାଲ, ନିର୍ବାହୀ ଯନ୍ତ୍ରୀ-୨ ସୀମାଞ୍ଚଳ ଷଡ଼ଙ୍ଗୀଙ୍କ ସମେତ କର୍ପୋରେଟରମାନେ ଉପସ୍ଥିତ ଥିଲେ । ସାଂସଦ ସାହୁ କହିଥିଲେ ଯେ, ନିଗମର ପ୍ରଥମ ଦାୟିତ୍ବ ହେଲା ଡ୍ରେନ୍ ସଫେଇ । ବର୍ଷା ଋତୁ ପୂର୍ବରୁ ଡ୍ରେନ୍ ସଫେଇ ହେବା ଉଚିତ। ଆଗକୁ ବଡ଼ ବର୍ଷା ଆସୁଛି । ଏଣୁ ବ୍ୟାପକ ସଫେଇ ଅଭିଯାନ ଦ୍ବାରା ବର୍ଷା ଜଳ ନିଷ୍କାସନରେ ସମସ୍ୟା ରହିବ ନାହିଁ ବୋଲି ସେ ଆଶା ପ୍ରକାଶ କରିଥିଲେ । ମେୟର ସଂଘମିତ୍ରା ଦଳେଇ କହିଥିଲେ ଯେ, କୃତ୍ରିମ ବନ୍ୟାରୁ ସହରକୁ ମୁକ୍ତି ଦେବା ପାଇଁ ସହରବାସୀଙ୍କ ଦାବି ଥିଲା । ପ୍ରଥମେ ମୁଖ୍ୟ ରାସ୍ତା ଏବଂ ପରେ ଗଳିକନ୍ଦିରେ ମଧ୍ୟ ଡ୍ରେନ୍ ସଫା ହେବ । ସହରର ୨୦ଟି ଜାଗା ଚିହ୍ନଟ କରାଯାଇଛି । ଭବିଷ୍ୟତରେ ଯଦି ଅନ୍ୟ ଅଞ୍ଚଳରେ ବର୍ଷା ଜଳ ନିଷ୍କାସନ ସମସ୍ୟା ଦେଖାଦିଏ, ତେବେ ସଫେଇ ଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ମହାନଗର ନିଗମର କମିଶନର ଜେ.ସୋନାଲ କହିଥିଲେ ଯେ, ସହରର ପ୍ରମୁଖ ଡ୍ରେନ୍ଗୁଡ଼ିକ ମିଶନ ମୋଡ଼ରେ ସଫା କରାଯିବ। ଡ୍ରେନରୁ ଜବରଦଖଲ ଉଚ୍ଛେଦ ମଧ୍ୟ କରାଯିବ । ସାପୁଆ ନାଳ ଏବଂ ବାହାନା ନାଳକୁ ସଂଯୋଗ କରୁଥିବା ଡ୍ରେନ୍ଗୁଡ଼ିକୁ ଅଧିକ ଗୁରୁତ୍ବ ଦିଆଯିବ । ଯାହା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ସେ କହିଛନ୍ତି।
Related Stories
November 23, 2024