କନ୍ଧମାଳ, କନ୍ଧମାଳ ଜିଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଗଉଡ଼ପଡ଼ା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ କୁଇ ସମାଜ ମହିଳା ସଙ୍ଗଠନ ସମ୍ପାଦିକା ଗୀତାଞ୍ଜଳୀ କହଁର ଓ ଉପସଭାନେତ୍ରୀ ସାଇବାଣୀ କହଁରଙ୍କ ନେତୃତ୍ଵରେ ପୀଡ଼ିତା ଛାତ୍ରୀର ମା’ ଓ ଅନ୍ୟ ମହିଳାମାନେ ଗୁରୁବାର କନ୍ଧମାଳ ଏସପି ବିନିତ ଅଗ୍ରୱାଲଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହା ସହିତ ଘଟଣାର ନିରପେକ୍ଷ ତଦନ୍ତ ଓ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବୀ କରିଥିଲେ ମହିଳାମାନେ। ଏସପି ବିନିତ ଅଗ୍ରୱ୍ଵାଲ ଶବ ବ୍ୟବଛେଦ ରିପୋର୍ଟ ଆସିବାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିବା ସମ୍ପାଦିକା ତଥା ପୂର୍ବତନ ସରପଞ୍ଚ ଗୀତାଞ୍ଜଳୀ କହଁର କହିଛନ୍ତି। ସେ କହିଛନ୍ତି, ନାବାଳିକାର ଝୁଲନ୍ତା ଶବ ଉଦ୍ଧାର ବେଳେ ଝିଅର ଶରୀରରେ ବିଭିନ୍ନ କ୍ଷତ ଚିହ୍ନ ରହିଥିବା ବେଳେ ତା ଦେହରେ ତାର ନିଜର ବସ୍ତ୍ର ନ ଥିବା ସହିତ ସେ ପୁରୁଷ ଲୋକଙ୍କ ଟି -ସାର୍ଟ ପିନ୍ଧି ଥିଲା। ଏହା ସହିତ ତା ଦେହରେ ସେ ଘରୁ ଯିବାବେଳେ ପିନ୍ଧିଥିବା କୌଣସି ଅନ୍ତ ବସ୍ତ୍ର ନ ଥିଲା ବୋଲି ନାବାଳିକାର ମା ଗଣମାଧ୍ୟମକୁ କହିଛନ୍ତି। ତଥାପି ଅଭିଯୁକ୍ତ ମାନେ ଖୋଲାରେ ବୁଲୁଛନ୍ତି କାହାକୁ ପୋଲିସ ଏ ପର୍ଯ୍ୟନ୍ତ ଗିରଫ କରିନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ।
ଖବର ଅନୁସାରେ, ଚଳିତ ମାସ ଜୁନ ୧୫ ତାରିଖରେ ନାବାଳିକା ଘରୁ କୁଆଡ଼େ ଚାଲିଯାଇଥିଲେ। ଏହାର ୨ ଦିନ ପରେ ଆଇଟିଆଇ ପାଖ ଆମ୍ବ ଗଛରେ ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ତେବେ ମୃତଦେହ ଦେଖିବାପରେ ଝିଅକୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଥିବା ସନ୍ଦେହ କରି ସଦର ଥାନାରେ ମୃତ ନାବାଳିକାର ମା ଯୋଶଦା କହଁର ଏତଲା ଦେଇଥିଲେ। ହେଲେ ପୋଲିସ ଅଦ୍ୟାବଧି ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଗତକାଲି କୁଇ ସମାଜ ମହିଳା ସଂଗଠନ ଏସପିଙ୍କୁ ଭେଟିଥିଲା। ଅନ୍ୟପଟେ ସ୍ଥାନୀୟ ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ ଘଟଣାସ୍ଥଳକୁ ଯାଇ ଘଟଣାର ପରିପାର୍ଶ୍ଵିକ ସ୍ଥିତି ଓ ନାବାଳିକାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଛାନଭିନ କରି ଫେରିଛନ୍ତି।