ଭୁବନେଶ୍ୱର: ଛାଡଖାଇରେ ବିକ୍ରି ହେଲା ଟ୍ରକ ଟ୍ରକ ମାଛ ଏବଂ କ୍ୱିଣ୍ଟାଲ କ୍ୱିଣ୍ଟାଲ ଚିକେନ ଓ ମଟନ । ପ୍ରାୟ 11 କୋଟି ଟଙ୍କାର ଆମିଷ ଆଜି କେବଳ ରାଜଧାନୀରେ ବିକ୍ରି ହୋଇଛି । ଆଜି ଆମିଷ ବାର ବା ବୁଧବାର ହୋଇଥିବାରୁ ଆମିଷ ବଜାର ଉପରେ ଧୁମ ମାଡ଼ ହୋଇଥିଲା । ଏନେଇ ଆଜି ଭୁବନେଶ୍ୱର ୟୁନିଟ-4 ମାର୍କେଟରେ ସକାଳୁ ଆମିଷ ବଜାରରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । କେବଳ 4 ନମ୍ବର ନୁହେଁ, ପଳାଶୁଣି, ରସୁଲଗଡ, ଷ୍ଟୁଡିଓଛକ, ପୁରୁଣା ଭୁବେଶ୍ୱର, କଳ୍ପନା, ନୂଆପଲ୍ଲୀ ଆଦି ଅଂଚଳରେ ଥିବା ମାଛ ମାର୍କେଟରେ ପ୍ରବଳ ଭିଡ ହୋଇଥିଲା ।
କାର୍ତ୍ତିକ ମାସରେ ନିରାମିଷ ଭୋଜନ କରିଥିବା ଲୋକେ ଆଜି ଜୋରସୋରରେ କିଣିଛନ୍ତି ମାଛ ମାଂସ । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆମିଷ ବଜାରରେ ମଧ୍ୟ ଆକାଶ ଛୁଆଁ ଥିଲା ଦରଦାମ । ମଟନ୍ କିଲୋ ପ୍ରତି 600 ଟଙ୍କା ଥିଲା ବେଳେ ଚିକେନ୍ କିଲୋପ୍ରତି 200, ଜୀଅନ୍ତା ରୋହି ମାଛ କିଲୋ 200 ଟଙ୍କା ଥିବା ବେଳେ ଭାକୁର କିଲୋ 250 ଟଙ୍କା ଥିଲା । ଏହା ବ୍ୟତିତ ଅନ୍ୟ ମାଛ 200 ରୁ 1400ଟଙ୍କା, କଙ୍କଡ଼ା 280 ରୁ 350, ଚିଙ୍ଗୁଡି 200 ରୁ 1200ଟଙ୍କା ଥିଲା । କେବଳ ମଟନ, ଚିକେନ, ମାଛ, ଚିଙ୍ଗୁଡି ନୁହେଁ, ଅଣ୍ଡା ମଧ୍ୟ ଗୋଟା ପ୍ରତି 6 ଟଙ୍କା ଦରରେ ବିକ୍ରି ହୋଇଥିଲା । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରକୁ ପ୍ରାୟ 8 ଟ୍ରକରୁ ଅଧିକ ମାଛ ସହ କ୍ୱିଣ୍ଟାଲ କ୍ୱିଣ୍ଟାଲ ଚିକେନ ଓ ମଟନ ବିକ୍ରି ହୋଇଥିବା କହିଛନ୍ତି ବ୍ୟବସାୟୀ ।
ଗତ ଏକ ମାସ ହେବ ନିରାମିଷ ଭୋଜନ କରିଥିବା ଲୋକେ ଆଜି ଆମିଷ ଖାଇବା ପାଇଁ ଅଧିକ ଉତ୍ସାହିତ ଥିଲେ । ଏନେଇ ଆମିଷ ବଜାରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ଆଜି ବୁଧବାର ଥିବାରୁ ବଢି ଭୋରୁ ମାଛ, ମାଂସ ଦୋକାନରେ ଲମ୍ବା ଲାଇନ୍ ଲାଗିଥିଲା । ଗ୍ରାହକଙ୍କ ଚାହିଦାକୁ ଦେଖି ଆମିଷ ବଜାରରେ ମଧ୍ୟ ବିଭିନ୍ନ ଭେରାଇଟିର ମାଛ ମିଳୁଥିଲା ।