
-
ଗଡ଼ିଲା ତାଳଧ୍ଵଜ ଓ ଦର୍ପଦଳନ ରଥ
ପୁରୀ, ଆଜି ବିଶ୍ଵ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ରଥଯାତ୍ରା । ଦୀର୍ଘ ଦୁଇ ବର୍ଷ ପରେ ରଥାରୁଢ଼ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନର ସୁଯୋଗ ପାଇଛନ୍ତି ଶ୍ରଦ୍ଧାଳୁ । ଭକ୍ତମୟ ହୋଇପଡିଛି ଶ୍ରୀକ୍ଷେତ୍ର, ଚଳଚଂଚଳ ହୋଇଉଠିଛି ଶରଧାବାଲି । ପ୍ରଥମେ ସୁଦର୍ଶନ ମହାପ୍ରଭୁ ଏବଂ ପରେ ତିନି ଠାକୁର ରତ୍ନ ବେଦିରୁ ଧାଡ଼ି ପହଣ୍ଡିରେ ରଥ ଉପରକୁ ବିଜେ କରିଛନ୍ତି । ପ୍ରଥମେ ପହଣ୍ଡିରେ ସୁଦର୍ଶନ ମହାପ୍ରଭୁ ଦର୍ପଦଳନ ରଥରେ ବିରାଜମାନ କରିଥିଲେ । ଏହାପରେ ତାଳଧ୍ଵଜରେ ରଥାରୁଢ଼ ହୋଇଥିଲେ ଶ୍ରୀ ବଳଭଦ୍ର । ଦର୍ପଦଳନ ରଥରେ ରଥାରୁଢ଼ ହୋଇଥିଲେ ଦେବୀ ସୁଭଦ୍ରା । ଶେଷରେ ଟାହିଆ ହଲାଇ ଝୁଲି ଝୁଲି ଆସି ରଥାରୁଢ଼ ହୋଇଛନ୍ତି କାଳିଆ ସାଆନ୍ତ । ପରେ ପରେ ରଥ ଉପରେ ତିନି ଠାକୁରଙ୍କ ଚିତାଲାଗି ନୀତି ସମ୍ପନ୍ନ ହୋଇଛି । ଏହାପରେ ନିଜ ଅନୁଗାମୀଙ୍କ ସହ ରଥ ଉପରକୁ ଯାଇ ତିନି ଠାକୁରଙ୍କୁ ଦର୍ଶନ କରିଛନ୍ତି ଗୋବର୍ଦ୍ଧନ ମଠାଧିଶ ଶଙ୍କରାଚାର୍ଯ୍ୟ । ଗଜପତି ମହାରାଜାଙ୍କ ଛେରାପହଁରା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ଵଜ ରଥ ୧୨ଟା ୩୦ ରେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ୧୨ ଟା ୫୫ରେ ଆରମ୍ଭ ହୋଇଛି । ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଘୋଡ଼ା ଯୋଚାଯିବା ପରେ ଟଣାଯିବ ।
ଜ୍ଵରରୁ ସୁସ୍ଥ ହେବା ପରେ ଆଜି ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ମାଉସୀମା ଘରକୁ ନବ ଦିନ ବ୍ୟାପୀ ଯାତ୍ରା କରିବେ ଜଗତର ନାଥ ଜଗନ୍ନାଥ । ପ୍ରଭାତରେ ଶ୍ରୀଜୀଉଙ୍କ ମଙ୍ଗଳାର୍ପଣ ବିଧି ସମ୍ପନ୍ନ, ରଥ ପ୍ରତିଷ୍ଠା ଏବଂ ନିର୍ଦ୍ଧାରିତ ସମୟରେ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ହେବା ପରେ ତିନି ଠାକୁର ରତ୍ନ ବେଦିରୁ ଧାଡ଼ି ପହଣ୍ଡିରେ ରଥ ଉପରକୁ ବିଜେ କରିଛନ୍ତି । ଭକ୍ତଙ୍କ ହରିବୋଲ, ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ଵନୀ, ଘଂଟ ଘଂଟା ନାଦରେ ପ୍ରକମ୍ପିତ ହୋଇଉଠିଛି ବଡ଼ଦାଣ୍ଡ । ଗତକାଲି ତିନି ରଥରେ ଆଜ୍ଞାମାଳ ଲାଗି ହେବା ପରେ ପୋଲିସ ଫୋର୍ସ ଓ ଭକ୍ତଙ୍କ ସହାୟତାରେ ରଥ ଟଣାଯିବା ସହ ରଥକୁ ଦକ୍ଷିଣ ମୋଡ଼ କରାଯାଇ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ରଖାଯାଇଥିଲା । ଯାତ୍ରା ସମୟରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ଅପରାହ୍ନରେ ସେନାପଟା ଲାଗି ହୋଇଥିଲା ।
ଅନ୍ୟପକ୍ଷରେ ଘୋଷ ଯାତ୍ରା ପାଇଁ ଶ୍ରଦ୍ଧାଳୁମାନେ ଦୂରଦୂରନ୍ତରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସି ପୁରୀରେ ପହଂଚିବାରେ ଲାଗିଛନ୍ତି । ରଥଯାତ୍ରା ଉପଲକ୍ଷେ ଲକ୍ଷାଧିକ ସଂଖ୍ୟାରେ ଯାତ୍ରୀଙ୍କ ସମାଗମକୁ ଦୃଷ୍ଟିରେ ରଖି ଷ୍ଟେସନ ନିକଟରେ ରେଳ ବିଭାଗ ପକ୍ଷରୁ ଅସ୍ଥାୟୀ ବିଶ୍ରାମାଗାରର ବ୍ୟବସ୍ଥା କରାଯାଇଛି । ତାଳବଣିଆ ଠାରେ ପୋଲିସ ରହଣି ଓ ଶ୍ରଦ୍ଧାଳୁଙ୍କ ରହଣି ନିମନ୍ତେ ବ୍ୟବସ୍ଥା କରାଯାଇଛି ।
ସୁରକ୍ଷା ବ୍ୟବସ୍ଥା-
ଘୋଷଯାତ୍ରାରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜଳ, ସ୍ଥଳ ଓ ଆକାଶପଥ ଉପରେ ସିସିଟିଭି ଓ ପୋଲିସର ନଜର ରହିଛି । ସହର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥାରେ ୧୮୦ ପ୍ଲାଟୁନ୍ ଫୋର୍ସ ଓ ୧୦୦୦ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବିଭିନ୍ନ ଛକ ସ୍ଥାନ ମାନଙ୍କରେ ପୋଲିସ ମୁତୟନ ହୋଇଛନ୍ତି । ସନ୍ଧାନୀ କୁକୁର ଓ ବୋମା ନିଷ୍କ୍ରିୟକାରୀ ଟିମ୍ ସଜାଗ ଅଛନ୍ତି । ରଥଯାତ୍ରାକୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ଯେମିତି ଭଲ ଅନୁଭୂତି ନେଇ ଶ୍ରୀକ୍ଷେତ୍ରରୁ ଫେରିବେ ସେଥିପ୍ରତି ଦୃଷ୍ଟି ଦେଉଛି ପୋଲିସ ବିଭାଗ । ସେହିପରି ତିନି ରଥର ସୁରକ୍ଷା ପାଇଁ ସଜାଗ ରହିଛନ୍ତି ତିନୋଟି ଫାୟାର୍ ଫାଇଟିଂ ଟିମ୍ । ରଥଯାତ୍ରା ସମୟରେ କୌଣସି ଅଘଟଣକୁ ରୋକିବା ପାଇଁ ୩୯ ଜଣ ଅଗ୍ନିଶମ କର୍ମଚାରୀ ମୁତୟନ ହୋଇଛନ୍ତି ।