ଗଞ୍ଜାମ, ଜଣେ ମହିଳାଙ୍କୁ ଦୁଷ୍କର୍ମ ପରେ ଧମକ ଦେଇ ଦୀର୍ଘ ୧୭ ବର୍ଷ ହେଲା ସମ୍ପର୍କ ରଖି ଆସୁଥିଲେ ଭଉଣୀ ଜ୍ଵାଇଁ । ଏନେଇ ବଡବଜାର ଥାନାରେ ଏତଲା ପରେ ଅଭିଯୁକ୍ତ ସୂର୍ଯ୍ୟନାରାୟଣ ଶତପଥୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ଥାନା ପକ୍ଷରୁ ଏ ସଂକ୍ରାନ୍ତରେ ୧୫୭/୨୨ ରେ ଏକ ମାମଲା ରୁଜ୍ଜୁ ହୋଇଛି ।
ବଡ ବଜାର ଥାନା ଅଂଚଳର ଜଣେ ମହିଳା ଅଭିଯୋଗ କରିଛନ୍ତି, ତାଙ୍କ ସ୍ଵାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ଦୁଇ ପୁଅଙ୍କୁ ନେଇ ଗାନ୍ଧିନଗରରେ ରହୁଥିଲେ । ତାଙ୍କ ଭଉଣୀ ଜ୍ଵାଇଁ ଅନେକ ସମୟରେ ଘରକୁ ଆସିବା ସହ ତାଙ୍କ ପ୍ରତି ସମବେଦନା ଜଣାଉଥିଲେ । ୨୦୦୫ ରେ ଘରେ କେହି ନଥିବା ସମୟରେ ସେ ତାଙ୍କୁ ଦୁଷ୍କର୍ମ କରିଥିଲେ । ପରେ ଏକଥା କାହାରିକୁ ଜଣାଇଲେ ତାଙ୍କ ପିଲାମାନଙ୍କୁ ଜୀବନରେ ମାରିଦେବେ ବୋଲି ଧମକ ଦେଇଥିଲେ । ସେ ଏବେବି ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ନେଇ ମହିଳା ଜଣକ ଅଭିଯୋଗ କରିଛନ୍ତି । ପୀଡ଼ିତା ୧୯୯୪ ମସିହା ଫେବୃଆରୀ ୨୮ ରେ ଜଗତସିଂହପୁର ଅଂଚଳର ଜଣେ ଯୁବକକୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ଉଭୟେ ବ୍ରହ୍ମପୁରରେ ଆସି ଏକାଠି ରହିଥିଲେ । ୨୦୦୨ ମାର୍ଚ୍ଚ ୫ ତାରିଖରେ ତାଙ୍କ ସ୍ଵାମୀଙ୍କ ମୃତ୍ୟୁ ଘଟିଥିଲା । ମହିଳା ଜଣକ ସିଲେଇ ଓ ପ୍ଲାଷ୍ଟିକ୍ ଫୁଲ ବିକ୍ରୀ କରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି । ତାଙ୍କ ସାନ ଭଉଣୀଙ୍କ ସ୍ଵାମୀ ସୂର୍ଯ୍ୟନାରାୟଣ ତାଙ୍କ ଆଡକୁ ସହଯୋଗର ହାତ ବଢାଇଥିଲେ । ପରେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଦୀର୍ଘ ୧୭ ବର୍ଷ ହେଲା ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରି ଆସୁଥିଲେ ବୋଲି ପୀଡ଼ିତା ଏତଲାରେ ଦର୍ଶାଇଛନ୍ତି । ଅଭିଯୋଗକୁ ଭିତି କରି ବଡବଜାର ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୁକ୍ତ ଓ ପୀଡ଼ିତା ମହିଳାଙ୍କ ଡାକ୍ତରୀ ମାଇନା କରାଯିବା ସହ କୋର୍ଟରେ ବୟାନ୍ ରେକର୍ଡ଼ ହୋଇଛି ।