-
ତାଳଚେରରେ ଏମସିଏଲର ଭୋକେସନାଲ ଟ୍ରେନିଂ ସେଂଟରକୁ ସ୍କିଲ୍ ଡେଭଲପମେଂଟ୍ ସେଂଟରରେ ପରିଣତ କରାଯିବ
-
ପ୍ରଥମ ଥର ପାଇଁ ତାଳଚେରରୁ ଏମସିଏଲ ଦ୍ୱାରା ୧୦୦ ରେକ୍ କୋଇଲା ଦେଶର କୋଣ ଅନୁକୋଣକୁ ଯୋଗାଣ ହେବା ଖୁସିର ବିଷୟ
-
ଏଥିପାଇଁ ପ୍ରଧାନମନ୍ତ୍ରୀ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ
-
ଦେଶର ହିତ ପାଇଁ କୋଇଲା ଖଣିକୁ ବନ୍ଦ ନ କରିବା ପାଇଁ କଲେ ଆହ୍ୱାନ
-
କୋଇଲା ଖଣି ବନ୍ଦ ହେଲେ ଦେଶର ଅର୍ଥନୀତି ଉପରେ ପ୍ରଭାବ ପଡେ
-
ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ସହ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ମୋଦି ସରକାର କଟିବଦ୍ଧ
-
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ତାଳଚେର ସାର କାରଖାନାର ପୁନରୁଦ୍ଧାର, ଏନଟିପିସିର ଥର୍ମାଲ ପ୍ଲାଂଟର ପୁନଃକାର୍ଯ୍ୟକ୍ଷମ ହେବ
ଶ୍ରୀ ପ୍ରଧାନ ରଥଯାତ୍ରାର ଗୋଟିଏ ଦିନ ଅବ୍ୟବହିତ ପୂର୍ବରୁ ଶୈଳ ଶ୍ରୀକ୍ଷେତ୍ର ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ଜଗନ୍ନାଥ ଏରିଆ ଓ ସୁଭଦ୍ରା ଏରିଆ ଠାରେ ମହାନଦୀ କୋଲ ଫିଲଡ(ଏମସିଏଲ)ର ଗୋଟିଏ ଲେଖାଁଏ କେନ୍ଦ୍ରୀୟ ବିଦ୍ୟାଳୟର ଶୁଭାରମ୍ଭ କରିଛନ୍ତି । ଏହାସହ ଜଗନ୍ନାଥ ଏରିଆରେ ଗୋଟିଏ କେଭିର ନୂତନ ସ୍ଥାୟୀ ଗୃହ ନିର୍ମାଣ ପାଇଁ ଭୂମିପୂଜନ ମଧ୍ୟ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସେ କହିଛନ୍ତି ଅନୁଗୋଳ ତାଳଚେରର କୋଇଲା ଦ୍ୱାରା କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତବର୍ଷର ଲୋକମାନେ ଉପକୃତ ହୋଇଥା’ନ୍ତି । ଓଡ଼ିଶା ଓ ଦେଶର ଅର୍ଥନୀତି ମଧ୍ୟ ସୁଦୃଢ଼ ହୁଏ । ମାତ୍ର ଏଠାରେ ସମୟ ସମୟରେ ପ୍ରତିବାଦ କରାଯିବା ବେଳେ କୋଇଲା ଖଣି ଓ କଳକାରଖାନାକୁ ବନ୍ଦ ରଖାଯିବା ଚିନ୍ତାଜନକ । ହଠାତ୍ କୋଇଲା ଖଣି ବନ୍ଦ ହେବା ଫଳରେ ଶ୍ରମିକ ଓ କର୍ମଚାରୀମାନଙ୍କ ଦରମା ପ୍ରଭାବିତ ହୋଇଥାଏ । ଏହା ଦ୍ୱାରା ବିଦ୍ୟୁତ ଉତ୍ପାଦନରେ ବ୍ୟାଘାତ ଘଟିବା ସହ ସମଗ୍ର ଭାରତବର୍ଷ କ୍ଷତି ହୋଇପାରେ । ସେହିପରି ଅନେକ ସମୟରେ ପ୍ରତିବାଦ କାରଣରୁ କୋଇଲା ଖଣି ବନ୍ଦ ହେବା କାରଣରୁ ତାଳଚେର ଅଂଚଳ ଶ୍ରୀହୀନ ହେବାର ଆଶଙ୍କା ରହିଛି । ତେଣୁ ଦେଶର ହିତ ପାଇଁ ପ୍ରତିବାଦ ନ କରିବା ପାଇଁ ସବୁ ରାଜନୈତିକ ଦଳ ଓ ସଂଗଠନକୁ ପରାମର୍ଶ ଦେଇଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ମୋତେ ଗାଳି କରିପାର କିନ୍ତୁ ସମସ୍ତେ ବିକାଶରେ ବାଧା ଦେବା ଅନୁଚିତ୍ । ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖିବା ଉଚିତ୍ । ପ୍ରତିବାଦ ସମୟରେ ସାମୟିକ ଭାବେ ଏଠାକାର କୋଇଲା ଖଣି ଓ କଳକାରଖାନା ବନ୍ଦ କରାଯିବା ଅନୁଚିତ୍ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।
ଏହାବ୍ୟତିତ ଆଜି ଦିନରେ ପ୍ରଥମ ଥର ପାଇଁ ତାଳଚେରରୁ ଏମସିଏଲ ଦ୍ୱାରା ୧୦୦ ରେକ୍ କୋଇଲା ଦେଶର କୋଣ ଅନୁକୋଣକୁ ଯୋଗାଣ ହେବା ନେଇ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ଯୋଶୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଛନ୍ତି ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ତାଳଚେରରେ ନୂଆ ଦୁଇଟି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ଦ୍ୱାରା ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବ । ସେମାନେ ବିଶ୍ୱ ମାନବତାର କଲ୍ୟାଣ ପାଇଁ କାମ କରିବା ଦିଗରେ ବ୍ରତୀ ହେବେ । ସେହିପରି ତାଳଚେରରେ ଡେରା କୋଲିଏରି ହାଇସ୍କୁଲର ଉନ୍ନତି ପାଇଁ ଏମସିଏଲ ଦାୟିତ୍ୱ ନେଇଛି । ଆଗାମୀ ଦିନରେ ଏଠାରେ ଶିକ୍ଷାର ଭିତିଭୂମିର ବିକାଶ ପାଇଁ ଅନେକ ଯୋଜନା କରାଯାଉଛି । ଆଗାମୀ ଦିନରେ ତାଳଚେର ସ୍ଥିତ ଆଇଟିଆଇକୁ ଏକ ବୃହତ ଶିକ୍ଷାନୁଷ୍ଠାନରେ ପରିଣତ କରାଯିବ । ଏମସିଏଲର ଭୋକେସନାଲ ଟ୍ରେନିଂ ସେଂଟରକୁ ସ୍କିଲ ଡେଭଲପମେଂଟ୍ ସେଂଟରରେ ବିକଶିତ କରାଯିବ । ଏହା ଦ୍ୱାରା କେବଳ ସ୍ଥାନୀୟ କର୍ମଚାରୀ ନୁହେଁ ବରଂ ବିସ୍ଥାପିତ, ଯୁବକ ଯୁବତୀ, ମହିଳାମାନେ ଏଠାରୁ ପ୍ରଶିକ୍ଷଣ ପାଇ ରୋଜଗାର କରିବା ସହ ଜଣେ ଜଣେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ସେ କହିଛନ୍ତି ।
ମୋଦି ସରକାରରେ ତାଳଚେରରେ କୋଇଲା ଉତ୍ପାଦନ ଓ ରେଳ ଭିତିଭୂମିର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ମୋଦି ସରକାରରେ ୧୩ ହଜାର କୋଟି ଟଙ୍କା ବ୍ୟୟରେ ତାଳଚେର ସାର କାରଖାନାର ପୁନରୁଦ୍ଧାର କରାଯାଉଛି । ତାଳଚେର ଏନଟିପିସିର ଥର୍ମାଲ ପ୍ଲାଂଟକୁ ମଧ୍ୟ ଖୁବ୍ ଶୀଘ୍ର ପୁନଃ କାର୍ଯ୍ୟକ୍ଷମ କରିବାର ଦାୟିତ୍ୱ ନିଆଯାଇଛି । ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ତାଳଚେର ସମ୍ପନ୍ନତା ଆଡ଼କୁ ଗତି କରୁଛି । ଆଗାମୀ ଦିନରେ ଏଠାରେ ଖଣି ଓ ରେଳ କ୍ଷେତ୍ର ସହ ଜଡ଼ିତ ଅନେକ ବିକାଶର କାମ ହେବ । ଏ ଅଂଚଳର ନାଗରିକ ମାନଙ୍କୁ ଉପଯୁକ୍ତ ବ୍ୟବସ୍ଥା ଉପଲବ୍ଧ କରାଯିବ । ତାଳଚେର ଅଂଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର ସହ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ମୋଦି ସରକାର କଟିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।