ସାଲେପୁର, ସାଲେପୁର ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ଅନ୍ତର୍ଗତ ମାହାଙ୍ଗା ବ୍ଲକ୍ ତଥା ମାହାଙ୍ଗା ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀଙ୍କ ଅଧିନ ବଇଁଚୁଆ-ଗୋକନ ଭାୟା ଆଦର୍ଶ ବିଦ୍ୟାଳୟ ରାସ୍ତା ନିର୍ମାଣ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି ।
ଏଠାରେ ସୂଚନା ଥାଉ କି,୯ କି.ମି. ରାସ୍ତା ପାଇଁ ୫ କୋଟି ୩୧ ଲକ୍ଷ ଟଙ୍କା ବ୍ୟୟ ମଂଜୁର କରାଯାଇ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଅଛି । ଏଥିପାଇଁ ୭.୯ କିମି ପିଚୁ କାର୍ଯ୍ୟ ଓ ୧ କି.ମି. ରାସ୍ତା କଂକ୍ରିଟ ଢଳେଇ ସହ ରାସ୍ତା ସଂପ୍ରସାରଣ ହେବ ବୋଲି ଜଣାଯାଇଛି । କିନ୍ତୁ, ଏହି କାର୍ଯ୍ୟରେ ବିଭିନ୍ନ ପ୍ରକାର ଅନିୟମିତତା ହେଉଥିବା ଦେଖିବାକୁ ମିଳିଛି । ବିଶେଷ କରି ଏହି ରାସ୍ତାଟି ମାହାଙ୍ଗା ବ୍ଲକର ନିର୍ମିତ ହେଉଥିବା ଆଦର୍ଶ ବିଦ୍ୟାଳୟକୁ ସଂଯୋଗ କରୁଅଛି । ଏହି ଅଂଚଳଟି ଖାଉଆ ଅଂଚଳ ହୋଇଥିବା ବେଳେ ବର୍ଷା ଦିନେ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଥାଏ । ଏଣୁ ଏହି ରାସ୍ତାର ଉନ୍ନତିକରଣ ସହ ଉଚ୍ଚ କରାଯିବାର ଆବଶ୍ୟକତା ରହିଛି । କିନ୍ତୁ, ଏବେ ନିର୍ମାଣ କାର୍ଯ୍ୟକୁ ନେଇ ଚର୍ଚା ଆରମ୍ଭ ହୋଇଛି । ଏପରିକି ବାହାରୁ ମାଟି ଆଣି ପକାଇ ରାସ୍ତା ଉଚା କରିବାକୁ ଥିବାବେଳେ ରାସ୍ତାକଡରୁ ଗୋଚର ଜମିରୁ ମାଟି ଉଠାଇ ରାସ୍ତାକଡରେ ପକା ଯାଇଛି । ଫଳରେ ଅସରାଏ ବର୍ଷାରେ ରାସ୍ତା ଅତଡା ଖାଇବା ସହ ରାସ୍ତାର ସ୍ଥାୟିତ୍ଵ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି ପୁରୁଣା ରାସ୍ତାର ଦୁଇ ପାର୍ଶ୍ଵକୁ ଚଉଡା କରାଯାଇ ନୂତନ ରାସ୍ତା ନିର୍ମାଣ କରାଯିବାର ବ୍ୟବସ୍ଥା ଥିବାବେଳେ ଏହି ରାସ୍ତାର ଉଭୟ ପାର୍ଶ୍ଵକୁ ସଠିକ୍ ଭାବେ ଖୋଳା ଯାଉନାହିଁ କି ଅନେକ ସ୍ଥାନରେ ମାଟି ପକାଇ ଉଚ୍ଚା ଓ ଓସାର କରାଯାଉନାହିଁ । କେତେକ ସ୍ଥାନରେ ନାମକୁ ମାତ୍ର ଘାସ ଚଂଛା ଯାଇ ଏହା ଉପରେ ଡଷ୍ଟ ଓ ଗୋଡି ବିଛା ଯାଇଛି । ଏହି କାର୍ଯ୍ୟ ହେବାର ୧୦ରୁ ୧୫ ଦିନ ମଧ୍ୟରେ ସଂପ୍ରସାରଣ ସ୍ଥାନଗୁଡିକରେ ଡଷ୍ଟ ଗୋଡି ମଧ୍ୟରେ ଘାସ ଉଠିଥିବା ଦେଖିବାକୁ ମିଳିଛି । ସେହିପରି କେତେକ ସ୍ଥାନରେ ରାସ୍ତା ଢଳେଇ ସଠିକ୍ ଭାବେ ଓ ସମତୁଲ ଭାବେ କରାଯାଇ ନଥିବାରୁ ଆଗାମୀ ଦିନରେ ଯାତାୟତ ଓ ଦୁର୍ଘଟଣା ଘଟିବାର ସମ୍ଭାବନା ଦେଖାଦେଇଛି । ଯାହାକି ଏହି କାର୍ଯ୍ୟର ସ୍ଵଚ୍ଛତା ନେଇ ବଡ ପ୍ରଶ୍ନ୍ବବାଚୀ ସୃଷ୍ଟି ହୋଇଛି । ଏପରିକି ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଉଥିବାବେଳେ ବିଭାଗୀୟ ଯନ୍ତ୍ରୀ କିମ୍ବା କର୍ମଚାରୀ ଉପସ୍ଥିତ ରହୁ ନଥିବା ହେତୁ ସଂପୃକ୍ତ ଠିକାଦାର ମନମୁଖି କାର୍ଯ୍ୟ କରୁଛନ୍ତି। ଏହି କାର୍ଯ୍ୟ ପାଇଁ ୫ କୋଟିରୁ ଉର୍ଦ୍ଧ ଟଙ୍କା ମଂଜୁର ହୋଇଥିବାବେଳେ ୫୦ ଲକ୍ଷରେ କାର୍ଯ୍ୟ ସାରିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ସୂଚନା ଥାଉ କି, ଏହି ରାସ୍ତାର କେତେକ ସ୍ଥାନରେ ନିର୍ମାଣରତ ସୁରକ୍ଷା ପ୍ରାଚୀର କାର୍ଯ୍ୟରେ ବ୍ୟାପକ ଅନିୟମିତତା ନେଇ ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିବାରୁ ବାଧ୍ୟ ହୋଇ ଠିକାଦାର ଏହି ସୁରକ୍ଷା ପ୍ରାଚୀରକୁ ଭାଙ୍ଗି ପୁର୍ନବାର ସୁରକ୍ଷା ପ୍ରାଚେରୀ ନିର୍ମାଣ କରିଥିଲେ । ତେବେ ଏତେ ବଡ ପ୍ରକଳ୍ପ କାର୍ଯ୍ୟ ହେଉଥିବାବେଳେ କିଭଳି ଭାବେ ବିଭାଗୀୟ ଯନ୍ତ୍ରୀ ନିର୍ମାଣ କାର୍ଯ୍ୟ ପ୍ରତି ଧ୍ୟାନ ନ ଦେବା ଘଟଣା ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ କଟକ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଓ ବିଭାଗୀୟ ସଚିବ କାର୍ଯ୍ୟରେ ହେଉଥିବା ଅନିୟମିତତାର ତଦନ୍ତ କରି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି ।
ଏ ସଂପର୍କରେ ମାହାଙ୍ଗା ଗ୍ରାମ ଉନ୍ନୟନ କନିଷ୍ଠଯନ୍ତ୍ରୀ ବିଜୟ ସାହୁଙ୍କୁ ଯୋଗାଯୋଗ କରିବାରୁ ଏହି ପ୍ରକଳ୍ପର ୨୦ ପ୍ରତିଶତ କାର୍ଯ୍ୟ ହୋଇଥିବା ବେଳେ ଯେଉଁଠାରେ କାର୍ଯ୍ୟ ଖରାପ ହୋଇଥିବ ସେଠାରେ କାର୍ଯ୍ୟରେ ସୁଧାର ଆଣିବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ ।