-
ରଥଯାତ୍ରାରେ ୧୮୦ ପ୍ଲାଟୁନ୍ ଫୋର୍ସ ଓ ୧୦୦୦ ପୋଲିସ ଅଧିକାରୀ ନିୟୋଜିତ ହେବେ
ପୁରୀ, ଜୁଲାଇ ୧ ରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଭକ୍ତଯୁକ୍ତ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରକୁ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିବାର ସମ୍ଭାବନା ରହିଛି । ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବ । ଏଥିପାଇଁ ଆଜି ରାଜ୍ୟ ପୋଲିସ ଡିଜି ସୁନିଲ ବଂଶଲଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏ ସମ୍ପର୍କରେ ଗଣମାଧ୍ୟକୁ ସୂଚନା ଦେଇ ଶ୍ରୀ ବଂଶଲ କହିଛନ୍ତି ଯେ, ଭକ୍ତଙ୍କ ଦର୍ଶନ ଓ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ । ରଥଯାତ୍ରାକୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ଯେମିତି ଭଲ ଅନୁଭୂତି ନେଇ ଶ୍ରୀକ୍ଷେତ୍ରରୁ ଫେରିବେ ସେଥିପ୍ରତି ଦୃଷ୍ଟି ଦିଆଯିବ । ଏନେଇ ପୋଲିସ ସମ୍ପୂର୍ଣ୍ଣ ଯତ୍ନବାନ୍ ହେବ ବୋଲି ସେ କହିଥିଲେ ।
ଆହୁରି ମଧ୍ୟ ସେ କହିଥିଲେ ଯେ, ପୋଲିସ କେବଳ ଯାତ୍ରୀଙ୍କୁ ସୁରକ୍ଷା ଦେବନାହିଁ ଏଥିସହ ସେବା ଯୋଗାଇଦେବ । ଏନେଇ ସମସ୍ତ ପୋଲିସ କର୍ମଚାରୀଙ୍କୁ ସଚେତନ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ରଥଯାତ୍ରାରେ ପୁରୀରେ ୧୮୦ ପ୍ଲାଟୁନ୍ ଫୋର୍ସ ଓ ୧୦୦୦ ପୋଲିସ ଅଧିକାରୀ ନିୟୋଜିତ ହେବେ ।