
ଭୁବନେଶ୍ୱର, ଓଡ଼ିଶାର୭୦ ପ୍ରତିଶତ ଲୋକ ଏଠାରେ କୃଷି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । କୃଷି ଓ କୃଷକର ଉନ୍ନତି ପାଇଁ କୃଷି ବିଜ୍ଞାନ କ୍ଷେତ୍ରରେ ଉଚ୍ଚତର ଶିକ୍ଷା ଓ ଗବେଷଣାର ଯଥେଷ୍ଟ ଆବଶ୍ୟକତା ରହିଛି ।ଓଡ଼ିଶାରେ ୧୯୬୨ ମସିହାରେ ରାଜ୍ୟର ପ୍ରଥମ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରଠାରେ ପ୍ରତିଷ୍ଠା ହୋଇଥିଲା । ସେତେବେଳେ ଓଡ଼ିଶାର ଲୋକସଂଖ୍ୟା ଥିଲା ୧କୋଟି ୭୦ ଲକ୍ଷ । ଏବେ ଲୋକସଂଖ୍ୟା ୪ କୋଟି ୫୪ ଲକ୍ଷରେ ପହଂଚିଲାଣି । ବିଜେଡ଼ି ଦଳ ତା’ର ନିର୍ବାଚନ ଇସ୍ତାହାରରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପଶ୍ଚିମ ଓଡ଼ିଶାବାସୀଙ୍କୁ ପ୍ରତିଶ୍ରୁତି ଦେଇଥିବା ବେଳେ ଶାସନର ୨୨ ବର୍ଷ ମଧ୍ୟରେ ଏପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ କଲେ ନାହିଁ । ଯାହାକି ପଶ୍ଚିମ ଓଡ଼ିଶା କାହିଁକି, ସମଗ୍ର ଚାଷୀ ସମାଜ ପାଇଁ ମୁଖ୍ୟମନ୍ତ୍ରୀଙ୍କର ଏହା ଏକ ପ୍ରତାରଣା ବୋଲି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ କହିଛନ୍ତି । ସରକାର କାଳ ବିଳମ୍ବ ନ କରି ତୁରନ୍ତ ପଶ୍ଚିମ ଓଡ଼ିଶାରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କୃଷକ ସେଲ୍ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକଙ୍କ ସହିତ ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାର କିଷାନ କଂଗ୍ରେସ ଅଧ୍ୟକ୍ଷମାନେ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବୀ କରିଛନ୍ତି ।