ପୁରୀ, ନିଶା ଏକ ମାରାତ୍ମକ ବ୍ୟାଧି।ଏଥିରେ ବିଶେଷ ଭାବରେ ଯୁବ ବର୍ଗ ପ୍ରଭାବିତ ହେଉଥିବାରୁ ସେମାନଙ୍କୁ ସଚେତନ କରି ଭଲ ବାଟକୁ ଫେରେଇ ଆଣିବା ସମସ୍ତଙ୍କ ଦାୟିତ୍ଵ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ମତ ଦେଇଛନ୍ତି। ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ମାଦକ ଦ୍ରବ୍ୟର ଅପବ୍ୟବହାର ତଥା ଅବୈଧ କାରବାର ବିରୋଧି ଅନ୍ତରାଷ୍ଟ୍ରୀୟ ଦିବସ ରବିବାର ପୂର୍ବାହ୍ନରେ ପାଳିତ ହୋଇଥିଲା। ଟାଉନ ଥାନା ନିକଟରୁ ଏହି ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରାକୁ ଜିଲ୍ଲାପାଳ ଶ୍ରୀ ବର୍ମା ଉଦଘାଟନ କରିବା ସହ ମାଦକ ପଦାର୍ଥ ବ୍ୟବହାରର ଅପକାରିତା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବାକୁ ନିରନ୍ତର ଉଦ୍ୟମ ପାଇଁ ପରାମର୍ଶ ଦେଇଥିଲେ। ଏହି ଶୋଭାଯାତ୍ରାରେ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନା ,ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଶୋଭାଯାତ୍ରା ଦିଗବାରେଣୀ ସମୁଦ୍ର କୂଳରେ ପହଞ୍ଚି ଥିଲା। ଏହି ଅବସରରେ ଅବକାରୀ ବିଭାଗ ସହଯୋଗ ରେ ରଞ୍ଜନ ଗାଂଗୁଲିଙ୍କ ଦ୍ଵାରା ଏକ ବାଲୁକା କଳା ପ୍ରଦର୍ଶିତ ହୋଇଥିଲା।
ସେହିପରି ଗୁଣ୍ଡିଚା ମନ୍ଦିର ନିକଟରୁ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ମାଦକ ଦ୍ରବ୍ଯର ଅପବ୍ୟବହାର ସମ୍ପର୍କରେ ଏକ ସଚେତନତା ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଦିଲ୍ଲୀପ କୁମାର ମହାପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏଥିରେ ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନିମା ପଟ୍ଟନାୟକ,ଜିଲ୍ଲା ପରାମର୍ଶଦାତା ସିଦ୍ଧାର୍ଥ ରାୟ,ଅନ୍ୟାନ୍ୟ ବିଭାଗୀୟ କର୍ମକର୍ତ୍ତା,ଛାତ୍ର ଛାତ୍ରୀ ଓ ସ୍ଵେଛାସେବୀ ମାନେ ଯୋଗ ଦେଇଥିଲେ।