ବଲାଙ୍ଗିର,ଆମ ସମାଜରେ ଏବେ ବି ଅନେକ ସାହିତ୍ୟ ସ୍ରଷ୍ଟା ଅଛନ୍ତି ଯେଉଁ ମାନଙ୍କ ଭିତରେ ଅଗାଧ ପାଣ୍ଡିତ୍ୟ ଓ ସୃଜନଶୀଳତା ଭରି ରହିଥିଲେ ମଧ୍ୟ ସେମାନେ ଲୋକଲୋଚନରୁ ବହୁ ଦୂରରେ ରହିଛନ୍ତି । ଭାଷା ଓ ସାହିତ୍ୟ ଭଣ୍ଡାରକୁ ଅନେକ କିଛି ଅମୂଲ୍ୟ ଭେଟି ଦେଇ ସାରିବା ପରେ ମଧ୍ୟ ଏମାନଙ୍କ ପ୍ରତିଭା ଓ ଉତ୍ସର୍ଗୀକୃତ ମନୋଭାବକୁ ସମାଜ ଆଦୌ ଚିହ୍ନପାରି ନଥାଏ । ବିଡମ୍ବନାର ବିଷୟ ହେଲା, ବଣର ମଲ୍ଲୀ ପରି ବଣରେ ଫୁଟି ଝାଉଁଳି ପଡିବା ପରି ଏମାନଙ୍କ ପ୍ରତିଭାର ମହକକୁ କେହି ଜାଣି ପାରନ୍ତି ନାହିଁ । ଇଂରାଜୀ ଭାଷା ସାହିତ୍ୟର ଏପରି ଜଣେ ଲୁକ୍କାୟିତ ପ୍ରତିଭା ଓ ନୀରବ ସାଧକ ହେଉଛନ୍ତି ଡ.ରାଧାକାନ୍ତ ମିଶ୍ର । ଜଣେ ଅବସରପ୍ରାପ୍ତ ଅଧ୍ୟାପକ ଭାବରେ କେବଳ କଲେଜରେ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାଦାନ ଭିତରେ ନିଜକୁ ସୀମିତ ନ ରଖି ବୟସର ଅପରାହ୍ନରେ ବି ନିଜ ଲେଖନୀ ଚାଳନା ଜାରୀ ରଖିଛନ୍ତି ଏହି ସାରସ୍ଵତ ସାଧକ ଜଣକ। ଇଂରାଜୀ ଭାଷାରେ ଏଯାବତ ଦୁଇଟି ଉପାଦେୟ ପୁସ୍ତକ ରଚନା କରି ସାରିଥିବା ରାଧାକାନ୍ତ ମିଶ୍ରଙ୍କର ବୟସ ୭୫ ଛୁଇଁଲାଣି । ଶାରିରିକ ଅସୁସ୍ଥତା ଓ ପ୍ରତିକୁଳ ପରିସ୍ଥିତି କେବେ ବି ରାଧାକାନ୍ତଙ୍କୁ ନିଜ ସାଧାନରୁ ବିଚ୍ୟୁତ କରିପାରି ନାହିଁ । ସାହିତ୍ୟ ସାଧନାରେ ବ୍ରତୀ ଏହି ବିଜ୍ଞ ପୁରୁଷଙ୍କ ରଚନା ପ୍ରଚାରଧର୍ମୀ ନୁହେଁ ବଂର ମାନବଧର୍ମୀ ଅଟେ । ତାଙ୍କ ଲେଖନୀରେ ରହିଛି ମାନବୀୟ ଚେତନାବୋଧର ସ୍ଵର, ସମାଜରେ ଘଟୁଥିବା ନାରୀ ନିର୍ଯ୍ୟତନାର କରୁଣ କାହାଣୀ । ନିଜର ଲେଖନୀ ମାଧ୍ୟମରେ ସମାଜକୁ ପଥପ୍ରଦର୍ଶନ କଲା ଭଳି ତଥା ସମାଜର ଶେଷ ସ୍ତରର ଲୋକଙ୍କ କଥା କହୁଥିବା ରାଧାକାନ୍ତ ମିଶ୍ର କେବେ ବି ନିଜକୁ ପ୍ରଜ୍ଞାପିତ କରି ନାହାନ୍ତି କି ପୁରସ୍କାର ଓ ସମ୍ବର୍ଦ୍ଧନା ପାଇଁ ଲାଳାୟିତ ହୋଇ ନାହାନ୍ତି । ନିଜର ଲେଖନୀ ମାଧ୍ୟମରେ ସମାଜକୁ ଆଲୋକ ଦେଖାଉଥିବା ଏହି ଲେଖକ ସ୍ଵୟଂ ଅନ୍ଧାରରେ । ଲେଖକଙ୍କ ମୂଲ୍ୟବାନ ଲେଖା ଓ ସନ୍ଦର୍ଭକୁ ସାରସ୍ଵତ ଜଗତର ଏକ ଆଲୋକିତ ପରିସରକୁ ଅଣାଯାଇ ପାରିଲେ ନିଶ୍ଚିତ ଭାବେ ଆମ ସମାଜ ଏହାଦ୍ଵାରା ଲାଭାନ୍ୱିତ ହୋଇ ପାରନ୍ତା ।
ଉତ୍କଳ ବିଶ୍ଵବିଦ୍ୟାଳୟରୁ ଡକ୍ଟରିଏଟ୍ ଲାଭ କରିଥିବା ଇଂରାଜୀ ସାହିତ୍ୟର ଜଣେ ଧୁରୀଣ ସ୍ରଷ୍ଟା ଭାବରେ ଏଯାବତ ୫ଠ ରୁ ଅଧିକ ଇଂରାଜୀ ଜର୍ଣ୍ଣାଲରେ ଲେଖା ବାହାରି ସାରିଲାଣି। କେରଳର ପ୍ରସିଦ୍ଧ କବୟିତ୍ରୀ କମଳା ଦାସ ଓ ସେକ୍ସପିୟରଙ୍କ ଲେଖା ସବୁକୁ ବିଶ୍ଲେଷଣ କରି ଲେଖକ ଶ୍ରୀ ମିଶ୍ର ଅନେକ ସୃଜନାତ୍ମକ ଲେଖା ସୃଷ୍ଟି କରିଛନ୍ତି । ରାଜ୍ୟ ବାହାରର ଅନେକ ସ୍ଥାନରେ ଶ୍ରୀ ମିଶ୍ର ନିଜିର ଗବେଷଣାଧର୍ମୀ ସନ୍ଦର୍ଭ ପାଠ କରି ସାରିଛନ୍ତି । ବନାରସ ବିଶ୍ଵବିଦ୍ୟାଳୟ, ଲକ୍ଷ୍ନୌ ବିଶ୍ଵବିଦ୍ୟାଳୟ ଓ ଆନ୍ଧ୍ର ବିଶ୍ଵବିଦ୍ୟାଳୟକୁ ଶ୍ରୀ ମିଶ୍ର ନିମନ୍ତ୍ରିତ ହୋଇ ସେଠାରେ ତାଙ୍କ ସନ୍ଦର୍ଭ ପାଠ କରି ନିଜର ପ୍ରତିଭାର ପରିଚୟ ଦେଇ ପାରିଛନ୍ତି । ଦୁଇଟି ପୁସ୍ତକ ସମେତ ଅନେକ ଇଂରାଜୀ ଆଲେଖ୍ୟର ସଫଳ ସ୍ରଷ୍ଟା ରାଧାକାନ୍ତ ମିଶ୍ର ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଲେଖି ଚାଲିଥିବେ ବୋଲି କହିଛନ୍ତି । ୨ଠଠ୬ ମସିହାରେ ଟିଟିଲାଗଡ଼ ଡିଏଭି କଲେଜରୁ ଜଣେ ଇଂରାଜୀ ପ୍ରଫେସର ଭାବରେ ଅବସର ଗ୍ରହଣ କରିବା ପରେ ନିଜ ଜନ୍ମମାଟି ବଲାଙ୍ଗିରକୁ ଫେରିଆସିଥିଲେ ରାଧାକାନ୍ତ ମିଶ୍ର । ଶାରୀରିକ ଅସୁସ୍ଥତା ସତ୍ବେ ବି ଥକି ପଡି ନାହାନ୍ତି ଶ୍ରୀ ମିଶ୍ର । ନିଜର ଲେଖନୀ ମୂନକୁ ଆହୁରି ଶାଣିତ କରିଚାଲିଛନ୍ତି ସେ । ବଲାଙ୍ଗିର ସହର ମହାଲକ୍ଷ୍ମୀ ନଗରରେ ସହଧର୍ମିଣୀ ଗୀତାଞ୍ଜଳି ଓ ପୁଅ ଦେବଦତ୍ତଙ୍କ ସହ ସାରସ୍ବତ ସାଧନାରେ ମଗ୍ନ ଶ୍ରୀ ମିଶ୍ର । ତିନୋଟି ପୁଅ ମଧ୍ୟରୁ ଦୁଇ ଜଣ ବାଙ୍ଗାଲୋରରେ ସଫ୍ଟୱେର ଇଂଜିନିୟର ଭାବେ କାର୍ଯ୍ୟରତ ଥିବାବେଳେ ସାନ ପୁଅ ମଧ୍ୟ ପେଶାରେ ଇଂଜିନିୟର ଥାଇ ବି କେବଳ ବାପାମାଙ୍କ ସେବା ଶୁଶୃଶା ପାଇଁ ବାଙ୍ଗାଲୋର ଛାଡି ନିଜ ବାପା ମାଙ୍କ ସହ ରହୁଛନ୍ତି । ସମକାଳୀନ କବି ଓ ଲେଖକ ମାନଙ୍କ ମଧ୍ୟରେ ଇଂରାଜୀ ଭାଷା ସାହିତ୍ୟରେ ଲେଖନୀ ଚାଳନା କରିବା କ୍ଷେତ୍ରରେ ରାଧାକାନ୍ତ ମିଶ୍ରଙ୍କ ନାମ ସର୍ବାଗ୍ରେ ରହିବ ।