କନ୍ଧମାଳ, ଫୁଲବାଣୀରେ ଜିଲ୍ଲା ସ୍ତରୀୟ ନିଶା ନିବାରଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳୁ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ନିଶା ନିବାରଣ ସମ୍ପର୍କରେ ଏକ ସଚେତନତା ଶୋଭାଯାତ୍ରାକୁ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରା ମାଧ୍ୟମରେ ଫୁଲବାଣୀ ସହରରେ ନିଶା ସେବନଜନିତ ବିଭିନ୍ନ ସ୍ବାସ୍ଥ୍ୟଗତ, ସାମାଜିକ ଓ ପାରିବାରିକ ଅସୁବିଧା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା। ପରେ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ଠାରେ କନ୍ଧମାଳ ଜିଲ୍ଳା ପ୍ରଶାସନ, ଅବକାରୀ ବିଭାଗ ଓ ସାମାଜିକ ସୁରକ୍ଷା ବିଭାଗର ମିଳିତ ସହଯୋଗରେ ନିଶା ନିବାରଣ ସମ୍ପର୍କରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ଵର ପାଟିଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମାଜରେ ବର୍ଷ ବର୍ଷ ଧରି ପିଢି ପରେ ପିଢିର କିଶୋର ଓ ଯୁବକ ମାନେ କୌତୁହଳର ବଶବର୍ତୀ ହୋଇ କିମ୍ବା ସାଙ୍ଗସାଥି ମାନଙ୍କ ମେଳରେ ପଡି ପାନ ଠାରୁ ଆରମ୍ଭ କରି ସିଗାରେଟ୍ ଓ ଅନ୍ୟାନ୍ୟ ନିଶାର କବଳରେ କବଳିତ ହୁଅନ୍ତି। କାଳକ୍ରମେ ଏହି କୌତୁହଳ ହିଁ ସେମାନଙ୍କୁ ନିଶାର କବଳିତ କରିଥାଏ। ଏହି କିଶୋର ଓ ଯୁବ ପିଢି ହିଁ ଦେଶର ଭବିଷ୍ୟତ ଅଟନ୍ତି। ତେଣୁ ସେମାନେ ଯେ କୌଣସି ନିଶା ଦ୍ରଵ୍ୟର ବଶବର୍ତୀ ହେବା ଉଚିତ୍ ନୁହେଁ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ, ଏସ୍ଡ଼ିପିଓ ମହେନ୍ଦ୍ର ନାଥ ମୁର୍ମ୍ମୁ, ପ୍ରଜାପିତା ବ୍ରହ୍ମ କୁମାରୀ ଧାର୍ମିକ ଅନୁଷ୍ଠାନର ସଦସ୍ୟା ବି.କେ ସବିତା, ଡିଏସଏସ ଓ ବଳରାମ ଜେନା, ଅବକାରୀ ବିଭାଗର ଅଧିକ୍ଷୀକା ମଧୁସ୍ମିତା ନାୟକ, ଡିଏସ ଡବ୍ଲୁ ଓ କନ୍ଧମାଳ ମଞ୍ଜୁଳା ପ୍ରଧାନ, ଡି ସି ପି ଓ ରଶ୍ମିତା କରନ ପ୍ରମୁଖ ଯୋଗଦେଇ ନିଶା ନିବାରଣ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ସଭା ଶେଷରେ ନିଶା ନିବାରଣ ପାଇଁ ଏକ ଶପଥପାଠ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତେ ଶପଥପାଠ କରିଥିଲେ।
ଅନୁଷ୍ଠିତ ଶୋଭାଯାତ୍ରାରେ ପୋଲିସ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ଶତପଥି, ଖେଳ ଶିକ୍ଷକ ପ୍ରଶାନ୍ତ ଦାସ ଓ ସ୍କାଉଟ ଛାତ୍ରଛାତ୍ରୀଙ୍କ ସମେତ ଅବକାରୀ ବିଭାଗ କର୍ମଚାରୀମାନେ ସାମିଲ ହୋଇ ନିଶାନିବାରଣ ପାଇଁ ସମ୍ବନ୍ଧୀୟ ସ୍ଲୋଗାନ ଦେବା ସହ ଲିଫପ୍ଲେଟ ବଣ୍ଟନ କରିଥିଲେ ।