-
ଘରୁ ମିଳିଲା ଝୁଲନ୍ତା ମୃତଦେହ
-
ପତ୍ନୀ , ଝିଅକୁ ଦେଇଛନ୍ତି ଶେଷ ମେସେଜ୍
-
ସ୍ତବ୍ଧ ଓଲିଉଡ୍ ଓ ଯାତ୍ରା ଜଗତ
-
ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ
ଭୁବନେଶ୍ୱର, ଅକାଳରେ ଚାଲିଗଲେ ଓଲିଉଡର ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ା ।ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।ଭୁବନେଶ୍ୱରର ମେଂଚଶ୍ୱର ଥାନା ଅନ୍ତର୍ଗତ ପ୍ରାଚୀ ବିହାରସ୍ଥିତ ଘରୁ ଶୁକ୍ରବାର ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ମିଳିଛି । ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍କୁ ପଠାଇଛି । ରାଇମୋହନଙ୍କ ମୃତ୍ୟୁରେ ଓଲିଉଡ୍ ଓ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି । ଶହ ଶହ ସଂଖ୍ୟାରେ ସିନେ ଓ ଯାତ୍ରା କଳାକାରଙ୍କ ସମେତ ସାଧାରଣ ଲୋକେ ତାଙ୍କ ଶେଷ ଦର୍ଶନ ପାଇଁ ପ୍ରାଚୀ ବିହାର ସ୍ଥିତ ଘରେ ଭିଡ ଜମାଇଥିଲେ । କ୍ୟାପିଟାଲ ହସ୍ପିଟାଲକୁ ତାଙ୍କ ମୃତଦେହ ନିଆଯାଇଥିବା ବେଳେ ହସ୍ପିଟାଲ ପରିସର ମଧ୍ୟ ଲୋକାରଣ୍ୟ ହୋଇଯାଇଥିଲା ।
ରାଇମୋହନଙ୍କର ପତ୍ନୀ ଓ ୨ ଝିଅ ଅଛନ୍ତି । ଜଣେ ଝିଅ ବିବାହ କରିଥିବା ବେଳେ ରାଇମୋହନ ପ୍ରାଚୀ ବିହାର ଘରେ ପତ୍ନୀ ଓ ସାନ ଝିଅ ସହିତ ରହୁଥିଲେ । ରାଇମୋହନ ପରିଡ଼ାଙ୍କ ମୃତଦେହ ପୁଲିସ ଉଦ୍ଧାର କରିବା ପୂର୍ବରୁ ତାଙ୍କ ଝିଅଙ୍କ ମୋବାଇଲ୍ ଫୋନ୍ କୁ ମେସେଜ ଆସିଥିଲା ବୋଲି ମେଂଚଶ୍ୱର ପୁଲିସ କହିଛି । ରାଇମୋହନଙ୍କ ମୋବାଇଲ ନମ୍ବରରୁ ପତ୍ନୀ ଓ ୨ ଝିଅଙ୍କ ପାଖକୁ ଆସିଥିବା ମେସେଜରେ ‘ବାଏ’ ଉଲ୍ଲେଖ ରହିଛି । ତେବେ ମେସେଜରେ ସେ କାହିଁକି ଏମିତି ଲେଖିଥିଲେ ତାହା ସ୍ପଷ୍ଟ ହୋଇନାହିଁ । ମୃତ୍ୟୁ ଘଟଣାର ତଦନ୍ତ ସରିଲେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଆଶା କରାଯାଉଛି ।
୧୯୬୩ ମସିହାରେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଉଦୟପୁର ଗାଁରେ ରାଇମୋହନ ପରିଡ଼ା ଜନ୍ମଗ୍ରହଣ କରିଥିଲେ । କରଞ୍ଜିଆ କଲେଜରେ ପାଠପଢ଼ା ଶେଷ କରିବା ପରେ ସେ ଭୁବନେଶ୍ୱର ସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ । ସେ ଏଠାରେ ନାଟକ ବିଭଗର ଛାତ୍ର ଥିଲେ । ୧୯୮୫ରେ ରାଇମୋହନ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ୧୯୮୭ରେ ସେ ‘ସାଗର’ ଫିଲ୍ମରେ ପ୍ରଥମେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।
ରାଇମୋହନ ପରିଡ଼ା ୯୦ଟି ଓଡ଼ିଆ ଚଳଚ୍ଚିତ୍ରରେ କାମ କରିବା ସହିତ ୧୫ଟି ବଙ୍ଗଳା ଫିଲ୍ମରେ କାମ କରିଛନ୍ତି । ସେ ୪୦ରୁ ଅଧିକ ନାଟକରେ ଅଭିନୟ କରିଥିବା ବେଳେ ଯାତ୍ରାରେ ମଧ୍ୟ କାମ କରିଛନ୍ତି । ‘ସତମିଛ’, ‘ରାମଲକ୍ଷ୍ମଣ’, ‘ଆସିବୁ କେବେ ସାଜି ମୋ ରାଣୀ’, ‘ନାଗପଂଚମୀ’, ’ଉଦଣ୍ଡୀସୀତା’, ‘ଦେ ମା’ ଶକ୍ତି ଦେ’, ‘ଜୟ ଶ୍ରୀରାମ’, ‘ତୁ ଥିଲେ ମୋ ଡର କାହାକୁ’, ‘ରଣଭୂମି’, ’ମେଂଟାଲ ଟୋକା’, ‘ସିଂହବାହିନୀ’, ‘କୁଳନନ୍ଦନ’, ‘କଣ୍ଢେଇ ଆଖିରେ ଲୁହ’, ‘ତୁ ଥିଲେ ମୋ ଡର କାହାକୁ’, ‘କୋଟିଏ ମଣିଷ ଗୋଟିଏ ଜଗା’ ଓ ‘ମିଷ୍ଟର ମଜ୍ନୁ’ ଭଳି ଅନେକ ଫିଲ୍ମରେ ସେ ଅଭିନୟ କରିଛନ୍ତି । ଅଭିନୟ ପାଇଁ ସେ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି ।
ରାଇମୋହନଙ୍କ କେତେକ ସିନେମାର ସଂଳାପ ଆଜି ବି ବେଶ ଲୋକପ୍ରିୟ । ସେଥିମଧ୍ୟରୁ ପ୍ରଣବ ଦାସଙ୍କ ନିର୍ଦ୍ଦେଶିତ ରଣଭୂମି ଫିଲ୍ମର ‘ଅନାନି… ’ସର୍ବାଧିକ ଚର୍ଚ୍ଚିତ । ଏବେ ବି ରାଇମୋହନଙ୍କ ଅଭିନୀତ କେତୋଟି ଓଡ଼ିଆ ଛବି ମୁକ୍ତି ପ୍ରତୀକ୍ଷାରେ ରହିଛି ।
କେବଳ ଓଡ଼ିଆ ସିନେମାରେ ନୁହେଁ, ସେ କେତୋଟି ଓଡ଼ିଆ ମେଗା ଧାରାବାହିକରେ ବି ଅଭିନୟ କରିଥିଲେ । ଏହାବ୍ୟତୀତ ଯାତ୍ରା ଜଗତରେ ମଧ୍ୟ ନିଜର ନିଖୁଣ ଅଭିନୟର ଛାପ ଛାଡି ଯାଇଛନ୍ତି ।
ବିଶିଷ୍ଟ ଅଭିନେତା ରାଇମୋହନ ପରିଡ଼ାଙ୍କ ଅକାଳ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗଭୀର ଶୋକ ପ୍ରକାଶ କରିଛନ୍ତି ଓ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ପ୍ରତି ସମବେଦନା ଜଣାଇଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି, ନାଟକ, ଯାତ୍ରା ଓ ଚଳଚ୍ଚିତ୍ରରେ ତାଙ୍କର ଅନୁପସ୍ଥିତି ସର୍ବଦା ଅନୁଭବ ହେବ । ତାଙ୍କ ନିଖୁଣ ଅଭିନୟ ପାଇଁ ସେ ସ୍ମରଣୀୟ ରହିବେ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାର ଲୋକପ୍ରିୟ କଳାକାର ତଥା ବରିଷ୍ଠ ସିନେ ଅଭିନେତା ରାଇମୋହନ ପରିଡ଼ାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଲମ୍ବା ସମୟ ଧରି ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରା ଜଗତରେ ତାଙ୍କର ଜୀବନ୍ତ ଓ ବିରଳ ଅଭିନୟ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । ଓଡ଼ିଶା ସିନେ ଓ ଯାତ୍ରା ଜଗତରେ ତାଙ୍କ ଭଳି ଜଣେ ପ୍ରତିଭାବାନ ବ୍ୟକ୍ତିଙ୍କ ମୃତ୍ୟୁକୁ ବିଶ୍ୱାସ କରି ହେଉନାହିଁ ।