
ଭୁବନେଶ୍ୱର, ଭୁବନେଶ୍ୱରକୁ ହାଇକୋର୍ଟ ସ୍ଥାନାନ୍ତର ଦାବି ନେଇ ଆଜି ଓକିଲମାନେ ଆନ୍ଦୋଳନ କରିଛନ୍ତି । ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ କୋର୍ଟର ମୁଖ୍ୟ ଫାଟକ ନିକଟରେ ପ୍ରତିବାଦ କରି ଧାରଣା ଦେଇଥିଲେ । ୨୦୧୩ମସିହାରୁ ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ପ୍ରତିମାସରେ ଏହି ଆନ୍ଦୋଳନ ହେଉଥିବା ବେଳେ କରୋନା ଯୋଗୁଁ ୨ବର୍ଷ ହେଲା ବନ୍ଦ ପରେ ପୁଣି ଏହି ଆନ୍ଦୋଳନ ମୁଣ୍ଡ ଟେକିଛି । ସବୁ ରାଜ୍ୟର ରାଜଧାନୀରେ ହାଇକୋର୍ଟ ରହିଥିବା ବେଳେ ଭୁବନେଶ୍ୱରରେ ହାଇକୋର୍ଟ ସ୍ଥାପନ ହେଲେ ବହୁ ଆଇନଜୀବୀ ଓ ଜନସାଧାରଣ ଉପକୃତ ହେବେ । ଏହି ଶାନ୍ତିପୂର୍ଣ୍ଣ ଧାରଣାରେ ବରିଷ୍ଠ ଆଇନଜୀବୀ ପ୍ରସନ୍ନ ପଟ୍ଟନାୟକ, ଶିବାନନ୍ଦ ରାୟ, ଅତ୍ମ ପ୍ରକାଶ ମହାନ୍ତି, ସରୋଜ ସାହୁ, ବିଷ୍ଣୁ ଷଡ଼ଙ୍ଗୀ, ମହେନ୍ଦ୍ର ସାହୁ, ସଂଘର ସଭାପତି ରବି ନାରାୟଣ ସାମନ୍ତରାୟ, ଉପସଭାପତି ଅଭୁମନ୍ୟୁ ସ୍ୱାଇ, ସମ୍ପାଦକ ରାଜ୍ କିଶୋର ଦାସ, ସଂଘଠନ ସମ୍ପାଦକ ଅଶୋକ ବଡ଼ପଣ୍ଡା, କୋଷାଧ୍ୟକ୍ଷ ଦିବାକର ମିଶ୍ର, ସହ ସମ୍ପାଦକ ରାଜେନ୍ଦ୍ର କୁମାର ଦାସ ସମେତ ବହୁ ବରିଷ୍ଠ ଓ ଯୁବ ଆଇନଜୀବୀମାନେ ସାମିଲ ହୋଇଥିଲେ ।