
ନୂଆପଡ଼ା, ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକରେ ସରକାରୀ ବିହନ କ୍ରୟ କରି ବିଲରେ ଚାଷ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସରକାରୀ ବିହନ ଗଜା ହେଉନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସରକାରୀ ସ୍ତରରେ ଅଧିକ ଅମଳ କ୍ଷମ ବିହନ ଯୋଗାଣ ହେବା ନେଇ ଚାଷୀ ନିଜ ପାରମ୍ପାରିକ ଚାଷ ପ୍ରଣାଳୀରୁ ଦୂରେଇ ଯାଉଛନ୍ତି। ପୂର୍ବରୁ ନିଜେ ବିହନ ରଖିବା ପରମ୍ପରା ବନ୍ଦ ହୋଇଅଛି। ସରକାରୀ ବିହନ ବିକ୍ରୟ କେନ୍ଦ୍ରରୁ ୧୦୦୧ ଧାନ ଆଣି ଚାଷୀ ନିଜ ଜମିରେ ବୁଣି ଥିଲେ। କିନ୍ତୁ, ୧୫ ଦିନ ବିତି ଯାଇଥିଲେ ମଧ୍ୟ ଧାନ ଗଜା ହୋଇନାହିଁ। ଫରସରା ଗ୍ରାମର ବିପିନ ବିହାରୀ ଧାରୁଆ ୧୫ ପ୍ୟାକେଟ, ଧନୁର୍ଦ୍ଧର ବାଗ ୧୧ ପ୍ୟାକେଟ, ଆମ୍ବଗୁଡାର ନରେନ୍ଦ୍ର ବଛା ୭ ପ୍ୟାକେଟ, ବିନୋପୁରର ପୁସ୍ତମ ନିଆଳ ୪ ପ୍ୟାକେଟ, ବୋଡେ଼ନର ହୀରଲାଲ ମାଝୀ ୧୨ ପ୍ୟାକେଟ, କେରାପଦର ଦୟାଲାଲ ମାଲୀ ୧୧ ପ୍ୟାକେଟ ଧାନ ବିହନ ଗଜା ହେଉନଥିବା ଅଭିଯୋଗ କରିଛନ୍ତି। ଏହି ଘଟଣା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ କୃଷି କର୍ମଚାରୀ ଆସି ଘଟଣାର ତଦନ୍ତ କରିଛନ୍ତି। ଚାଷୀଙ୍କ ହୋଇଥିବା କ୍ଷତିର କ୍ଷତିପୂରଣ ଦେବ କିଏ। ଏହା ଚାଷୀମାରଣ ନୀତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ ହୋଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି।