କନ୍ଧମାଳ, କନ୍ଧମାଳ ଜିଲା ଫିରିଙ୍ଗିଆ ପଞ୍ଚାୟତର ଭେଣ୍ଡରାପାଲି – ନୂଆପଡ଼ା ରାସ୍ତା ଡାଣ୍ଡାସରୁ ପାହାଡ଼ ଘାଟି ରାସ୍ତାରେ ବାଘ ବୁଲୁଥିବା ନେଇ ଆଲୋଚନା ହେବା ଫଳରେ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।
ସୂଚନା ଅନୁସାରେ ନୂଆପଡ଼ାରୁ କିଛି ଲୋକ ଆସୁଥିବା ସମୟରେ ଦିନ ୧୦ ଟା ସମୟରେ ଘାଟିରେ ବାଘ ରାସ୍ତା ପାର ହେଉଥିବା ଦେଖିଥିବା କହିଛନ୍ତି। ସେହିଦିନ ସନ୍ଧ୍ୟା ସମୟରେ ବାଇକ ଯୋଗେ ଯାଉଥିବା ୨ ବାଇକ ଆରୋହୀ ସମାନ ଘଟଣା କ୍ରମେ ଘାଟିରେ ଜନ୍ତୁଟିକୁ ଦେଖି ଭୟରେ ଗାଡ଼ିରୁ ପଡ଼ି ଯାଇଥିବା ବେଳେ ଜନ୍ତୁଟି ବାଘ ବୋଲି କହିଛନ୍ତି। ଯାହାଦ୍ଵାରା ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି । ଏହା ଲୋକଙ୍କ ନିତି ଦିନିଆ ରାସ୍ତା ହୋଇଥିବାରୁ ସେହି ବାଟ ଦେଇ ଯିବା ଆସିବାକୁ ଲୋକେ ଭୟ କରୁଛନ୍ତି। ତେବେ ତାହା ବାଘ ନା ଅନ୍ୟ କେଉଁ ଜନ୍ତୁ ଜଣାପଡ଼ିନ ଥିବା ବେଳେ ଫିରିଙ୍ଗିଆ ବନ ବିଭାଗକୁ ସୂଚନା ଯିବା ପରେ ବନ ବିଭାଗର ବନରକ୍ଷୀ ଡ଼ି. ଲଛନିଆ ରେଡି ଓ ଟିମ ଡାଣ୍ଡାସରୁ ପାହାଡ଼ ଘାଟି ରାସ୍ତାକୁ ଯାଇ ଜଙ୍ଗଲରେ ବୁଲା ବୁଲି କରି ଘଟଣା ଅନୁଧ୍ୟାନ କରିଛନ୍ତି। ଅନ୍ୟ ପଟେ ଜଙ୍ଗଲ ରାସ୍ତାର ପାଖାପାଖି ପାଦ ଚି଼ହ୍ନ ପଡ଼ିଥିବା ବେଳେ ଚି଼ହ୍ନ ଛୋଟ ଥିବାରୁ ତାହା ବାଘର ପାଦ ଚି଼ହ୍ନ ହୋଇ ନ ଥିବା ସନ୍ଦେହ କରାଯାଉଛି। ଏହା ଅନ୍ୟ କୌଣସି ଛୋଟ ବନ୍ୟ ଜନ୍ତୁ ହୋଇ ଥାଇପାରେ ବୋଲି କହିଛନ୍ତି ବନରକ୍ଷୀ ଡ଼ି. ଲଛନିଆ ରେଡି। ଅନ୍ୟ ପଟେ ପାଦ ଚି଼ହ୍ନର ଫଟୋ ନେଇଥିବା ବେଳେ ଏ ବାବଦରେ ଫିରିଙ୍ଗିଆ ରେଞ୍ଜର ବିଜୟ ମଲିକ ଜଙ୍ଗଲରେ ପଡ଼ି ଥିବା ପାଦ ଚି଼ହ୍ନ ହେଟା ବାଘ କିମ୍ବା ଅନ୍ୟ କୌଣସି ଛୋଟ ଜନ୍ତୁ ହୋଇଥିବା କହିଛନ୍ତି। ତଥାପି ସେହି ସ୍ଥାନକୁ ଯାଇ କେଉଁ ଜନ୍ତୁ ବୁଲୁଛି ତାର ଅନୁଧ୍ୟାନ କରାଯିବ ବୋଲି କହିବା ସହ ଜନସାଧାରଣ ଏନେଇ ଭୟଭିତ ନ ହେବାକୁ କହିଛନ୍ତି।