
ନୂଆଦିଲ୍ଲୀ/ଭୁବନେଶ୍ୱର, ଆସନ୍ତାକାଲି (ଶୁକ୍ରବାର)ରାଷ୍ଟ୍ରପତି ପଦବୀ ପାଇଁ ନାମାଙ୍କନ ଦାଖଲ କରିପାରନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଶ୍ରୀମତୀ ମୁର୍ମୁ ଦିଲ୍ଲୀ ଯାଇ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀମାନଙ୍କୁ ଭେଟିଛନ୍ତି ।
ଗୁରୁବାର ପୂର୍ବାହ୍ନରେ ଭୁବନେଶ୍ୱରରୁ ବିମାନ ଯୋଗେ ନୂଆଦିଲ୍ଲୀରେ ପହଂଚିବା ପରେ ପ୍ରଥମେ ଦ୍ରୌପଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଉଭୟଙ୍କ ଭେଟଘାଟର ଫଟୋ ପ୍ରଧାନମନମନ୍ତ୍ରୀ ମୋଦି ଟ୍ୱିଟ କରିଛନ୍ତି । ମୋଦି ଲେଖିଛନ୍ତି ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱକୁ ସମଗ୍ର ଦେଶରେ ସମର୍ଥନ ମିଳୁଛି । ସମାଜର ସମସ୍ତ ବର୍ଗରୁ ଦ୍ରୌପଦୀଙ୍କୁ ବିପୁଳ ସମର୍ଥନ ମିଳୁଛି । ସମାଜର ତ୍ରୁଣମୂଳସ୍ତରରେ ସମସ୍ୟାକୁ ସେ ସଠିକ୍ ଭାବେ ହୃଦୟଙ୍ଗମ କରିଥିବା ମୁର୍ମୁଙ୍କର ଦେଶର ଉନ୍ନତି ପାଇଁ ତାଙ୍କର ଦୂରଦୃଷ୍ଟି ବେଶ ମହତ୍ୱପୂର୍ଣ୍ଣ । ସେହିପରି ଦ୍ରୌପଦୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟିଛନ୍ତି । ଏଥିସହ ବଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ବିଭିନ୍ନ କେନ୍ଦ୍ରୀୟ ନେତାଙ୍କୁ ଭେଟିଛନ୍ତି । ଅପରାହ୍ନରେ ସେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କୁ ମଧ୍ୟ ଭେଟିଛନ୍ତି ।
ଗୁରୁବାର ସକାଳେ ୯ଟା ୪୦ରେ ସେ ଭୁବନେଶ୍ୱର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ । ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ ହୋଇଥିବାରୁ ଏହି ଅବସରରେ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ସହଯୋଗ କାମନା କରିଥିଲେ । ଏମସିଏଲ୍ ଗେଷ୍ଟ ହାଉସ୍ ରୁ ଜେଡ ପ୍ଲସ ସୁରକ୍ଷାରେ ଆସିବା ପରେ ତାଙ୍କୁ ସ୍ୱାଗତ କରିବାକୁ ପାରମ୍ପରିକ ନାଚଗୀତରେ ଦୁଲୁକିଥିଲା ବିମାନବନ୍ଦର । ବିମାନବନ୍ଦରରେ ଅସମ୍ଭବ ଭିଡ଼ ଜମିଥିଲା । ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇବା ନିମନ୍ତେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବହୁ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମୀ, ବିଜେପି ନେତା ଓ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।