ଭୁବନେଶ୍ୱର, ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବନି ଓଡିଶା କଂଗ୍ରେସ । ଏହି ସୂଚନା ଦେଇଛନ୍ତି କଂଗ୍ରେସ ଦଳ ବିଧାୟକ ନେତା ନରସିଂହ ମିଶ୍ର । ଦ୍ରୌପଦୀ ମୁର୍ମୁ ବିଜେପି ନୀତି ଆଦର୍ଶରେ ବିଶ୍ୱାସ କରୁଥିବାରୁ କଂଗ୍ରେସ ସମର୍ଥନ ଦେବନି । ତାଙ୍କ ପ୍ରାର୍ଥୀତ୍ୱ ଘୋଷଣା ପୂର୍ବରୁ ବିରୋଧୀଦଳ ପ୍ରାର୍ଥୀ ଘୋଷଣା କରିଛି । ଜଣକୁ ଛିଡ଼ା କରି ଅନ୍ୟ ଜଣକୁ ସମର୍ଥନ କରିବା ଠିକ୍ କଥା ନୁହେଁ ବୋଲି କହିଛନ୍ତି ନରସିଂହ ମିଶ୍ର ।
ସେ ଆହୁରି କହିଛନ୍ତି ଓଡ଼ିଶା କଂଗ୍ରେସ ଭୋଟ ଦେବନି କିମ୍ବା ସମର୍ଥନ କରିବନି ବୋଲି ସ୍ପଷ୍ଟ କରିଛନ୍ତି ଓଡ଼ିଶା ତେବେ ବ୍ୟକ୍ତି ଯେତେ ଭଲ ହୋଇଥାନ୍ତୁ କିମ୍ବା ଆଚରଣ ବ୍ୟବହାର ତଥା ଉପଲବ୍ଧି ଯାହା ହୋଇଥାଉ ସେ ଯଦି ଆରଏସଏସ କିମ୍ବା ବିଜେପି ଚିନ୍ତା ଧାରାର ଲୋକ ହୋଇଥିଲେ ତାକୁ କଂଗ୍ରେସ କେବେ ସମର୍ଥନ ଦେବ ନାହିଁ ।
ଯଦିଓ ଦ୍ରୌପଦୀ ମୁର୍ମୁ ଜଣେ ଭଲ ରାଜନୀତିଜ୍ଞ ଓ ଭଲ ବ୍ୟକ୍ତି ବିଶେଷ । କିନ୍ତୁ ସେ ବିଜେପି ଚିନ୍ତାଧାରା ପରିପୋଷଣ କରନ୍ତି । ତେଣୁ କଂଗ୍ରେସ ତାଙ୍କୁ କେବେ ସମର୍ଥନ ଦେବ ନାହିଁ । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ କେବଳ ଆଖି ଦେଖାଣିଆ । ବିଜେଡି ଓ ବିଜେପି ଏକ ବୋଲି ସେ କହିଛନ୍ତି । ଯାହା ପାଇଁ ପୂର୍ବରୁ ନବୀନ ପଟ୍ଟନାୟକ ଦିଲ୍ଲୀରେ ମୋଦୀଙ୍କୁ ଭେଟି ସଲାସୁତୁରା କରି ସାରିଥିବାର ସେ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯଦି ମୁଖ୍ୟମନ୍ତ୍ରୀଙ୍କ ଓଡିଆ ପ୍ରୀତି ରହିଛି ତେବେ ଜଣେ ଅଣଓଡିଆଙ୍କୁ ରାଜ୍ୟସଭା କଣପାଇଁ ପଠାଉଥିଲେ । ରାଜ୍ୟରେ କଣ ଓଡିଆ ପ୍ରାର୍ଥୀ ନଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।