ମାଲକାନଗିରି, ମାଲକାନଗିରି ଜିଲା ଦୌରାଜଜ୍ ରେଖା ପ୍ରସାଦ ଏକ ହତ୍ୟା ମାମଲାର ଶୁଣାଣି କରି ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୨୦ ହଜାର ଟଙ୍କାର ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡିଛି । ଜରିମାନା ଅନାଦାୟ ଆହୁରି ଏକ ବର୍ଷ ଅଧିକ ଜେଲ ଦଣ୍ଡ ଭୋଗିବାକୁ ରାୟରେ କହିଛନ୍ତି ।
ମାମଲାର ବିବରଣୀରୁ ପ୍ରକାଶ, ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ସାନମୁଣ୍ଡାଗୁଡା ଗ୍ରାମର ସନିଆ ଭୂମିଆ ଓ ବଡମୁଣ୍ଡାଗୁଡା ଗ୍ରାମର ଲଇଖନ ଭୂମିଆଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ବିବାଦ ରହି ଆସିଥିଲା । ୨୦୧୯ ଜୁଲାଇ ୮ ତାରିଖରେ ସନିଆ ବଡମୁଣ୍ଡାଗୁଡାରେ ଥିବା ସମ୍ପର୍କୀୟ ସାନ ବାପା ହରି ଭୂମିଆଙ୍କ ଘରକୁ ଏକ ବାଇକ୍ରେ ଯାଉଥିବା ବେଳେ ଏହି ସମୟରେ ପୂର୍ବ ଶତ୍ରୁତାକୁ ନେଇ ରାଗ ରଖୁଥିବା ଲଇଖନ ସନିଆଙ୍କୁ ଏକ କୋଦାଳରେ ଆକ୍ରମଣ କରିଥିଲା । ଫଳରେ ସନିଆ ସାନବାପାଙ୍କ ଘର ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ଯାଇଥିଲେ । ଏହା ଜାଣିବା ପରେ ସନିଆଙ୍କ ପୁଅ ଦୁର୍ଜନ ଭୂମିଆ ଓ ସମ୍ପର୍କୀୟ ରଘୁନାଥ ଭୂମିଆ ଘଟଣାସ୍ଥଳକୁ ଯାଇ ସନିଆଙ୍କୁ ମାଥିଲି ଚିକିତ୍ସାଳୟକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଦୁର୍ଜନ ସେହିଦିନ ରାତିରେ ମାଥିଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମାଥିଲି ପୋଲିସ ୧୦୫/୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଲଇଖନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେବେଠାରୁ ଏହି ମାମଲା ଜିଲା ଦୌରାଜଜଙ୍କ କୋର୍ଟରେ ବିଚରାଧୀନ ଥିଲା । ୨୨ ଜଣଙ୍କ ସାଖ୍ୟ ପ୍ରମାଣକୁ ଆଧାର କରି ବିଚାରପତି ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି । ମାମଲାକୁ ସରକାରୀ ପିପି ମହିନ୍ଦ୍ର କୁମାର ନାଗ ପରିଚାଳନା କରୁଥିଲେ ।