ଭୁବନେଶ୍ୱର, ଆଗକୁ ରଥଯାତ୍ରା ଆସୁଛି । ପୁରୀରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି । ତେଣୁ ପୁରୀରେ ଅଧିକ ଟିକାକରଣ କରିବାକୁ ପୁରୀ ପ୍ରଶାସନକୁ ଅବଗତ କରାଯାଇଛି ।
ଏସମ୍ପର୍କରେ ସୂଚନା ଦେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ପୁରୀରେ ଯୁଦ୍ଧକାଳୀନ ଭିତିରେ ଟିକାକରଣ ହେବ । ଯେଉଁମାନେ ଦ୍ୱିତୀୟ ଡୋଜ୍ ବା ପ୍ରିକସନ୍ ଡୋଜ୍ ନେଇନାହାନ୍ତି ସେମାନଙ୍କୁ ଏକ ସ୍ୱତନ୍ତ୍ର କ୍ୟାମ୍ପ୍ କରି ଟିକା ଦିଆଯିବ । ଏହାସହ ପରିମଳ ଓ ସମସ୍ତ ଆନୁସଙ୍ଗୀକ ବ୍ୟବସ୍ଥା କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ୍ ସଂକ୍ରମଣ ରହିଛି ଆଗକୁ ମଧ୍ୟ ରହିଥିବ । ରାଜ୍ୟରେ ଯେତିକି ଆକ୍ଟିଭ କେସ୍ ରହିଛି ସେଥିରୁ ବହୁତ କମ୍ ସଂଖ୍ୟାରେ ଆକ୍ରାନ୍ତ ହସ୍ପିଟାଲ ଯାଉଛନ୍ତି । ରାଜ୍ୟରେ ଭଲ ଭାବରେ ଟିକାକରଣ ହୋଇଛି ତେଣୁ ରୋଗର ଭୟ କମ୍ ରହିଛି ।
ଅନ୍ୟପଟେ ଘର ଘର ବୁଲି ସ୍ୱାସ୍ଥ୍ୟକର୍ମୀ ଏବଂ ଆଶା କର୍ମୀମାନେ ରୋଗ ଚିହ୍ନଟ କରୁଛନ୍ତି । ଏହି ସମୟରେ ବିଶେଷ କରି କୋଭିଡ, ଡାଇରିଆ, ଡେଙ୍ଗୁ, ଟିବି ଏବଂ ମ୍ୟାଲେରିଆ ବଢିବାର ଆଶଙ୍କା ରହିଛି । ତେଣୁ ଘର ଘର ବୁଲି ସ୍ୱାସ୍ଥ୍ୟ କର୍ମୀମାନେ ଲୋକଙ୍କୁ ଚିହ୍ନଟ କରି କିଭଳି ଭାବେ ସେମାନଙ୍କୁ ପରୀକ୍ଷା କରାଯିବ ସେନେଇ ପ୍ରସ୍ତୁତି କରାଯାଉଛି ବୋଲି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।