ମାଲକାନଗିରି, ପୋଲିସ ଜୁଲମ୍ ର ପ୍ରତିବାଦରେ ଗତକାଲି ଅପରାହ୍ନରେ ଶହ ଶହ ସଂଖ୍ୟାରେ କଂଗ୍ରେସ କର୍ମୀ ଓ ଅଂଚଳବାସୀ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ପରିସରରେ ପଶି ବ୍ୟାପକ ଭଙ୍ଗାରୁଜା ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ୧୮ ଜଣଙ୍କୁ ଗିରଫ କରିଛି ପୋଲିସ । ମାମଲାରେ ଗିରଫଦାରୀ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସିସିଟିଭି ଫୁଟେଜ୍ ଓ ପ୍ରତ୍ୟେକ୍ଷଦର୍ଶିଙ୍କ ବୟାନକୁ ଭିତି କରି ଚିତ୍ରକୋଣ୍ଡା ପୋଲିସ ଏମାନଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ରହିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ, କଂଗ୍ରେସ ବ୍ଲକ ଅଧ୍ୟକ୍ଷ ଓ ଗଞ୍ଜେଇ ମାଫିଆ । ମାମଲାରେ ଜଡ଼ିତ ଅନ୍ୟମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରୀ ରହିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ତଳେ ଗଞ୍ଜେଇ ବେପାରକୁ ନେଇ ପୋଲିସ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଆରଏସସି କଲୋନୀ- ୧୩ ରେ ପଶି ଗ୍ରାମର ମହିଳାଙ୍କୁ ମାରପିଟ୍ କରିଥିବାରୁ ଗତକାଲି ପୋଲିସ ଜୁଲମ୍ ର ପ୍ରତିବାଦ ଏବଂ ଏସଡ଼ିପିଓଙ୍କୁ ବଦଳି ଦାବି ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ବ୍ଲକ ସମ୍ମୁଖରେ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ଵରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଯୋଗ ଦେଇଥିଲେ । ଏହି ସଭା ସରିବା ପରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଆସିଥିବା ଶତାଧିକ ପୁରୁଷ ଓ ମହିଳା ଉତେଜିତ ହୋଇ କଂଗ୍ରେସ କର୍ମୀଙ୍କ ସହିତ ନିକଟରେ ଥିବା ଥାନା ପରିସରକୁ ଧଶେଇ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ ।