ମାଲକାନଗିରି, ଚଳିତ ବର୍ଷ ଗ୍ରୀଷ୍ମପ୍ରବାହ ଯୋଗୁଁ ଜିଲ୍ଲାରେ ପାନୀୟ ଜଳ ସମସ୍ୟାକୁ ନେଇ ୭ଗୋଟି ବ୍ଲକ ର ୫୫ଟି ଗ୍ରାମପଞ୍ଚାୟତ ଅଧିନସ୍ଥ ୧୧୫ ଟି ଗ୍ରାମରେ ମାଲକାନଗିରି ଜିଲ୍ଲା ଶ୍ରମଜୀବି ଓ ମହିଳା ଶ୍ରମଜୀବି ସଙ୍ଗଠନର ଆମ ପାଇଁ ପାଣି ଅଭିଯାନ ମାଧ୍ୟମରେ ପାନୀୟ ଜଳର ସମସ୍ୟା ଗୁଡ଼ିକୁ ଚିହ୍ନଟ କରାଯାଇ ପଞ୍ଚାୟତ, ଵ୍ଲକ ସ୍ତରରେ ଜଣାଇଥିଲେ ମଧ୍ୟ ତାହାର ସୁଫଳତା ମିଳୁ ନଥିବା ଲୋକମାନେ ଅଭିଯୋଗ କରିଛନ୍ତି। ଗ୍ରାମରେ ପିଇବା ପାଣି ମୁନ୍ଦାଏ ପାଇଁ କେଉଁଠି ବହୁତ ବାଟ ଚାଲି ଚାଲି ଯାଇ ମହିଳାମାନେ ଚୁଆରୁ ପାଣି ଆଣୁଥିବା, କେଉଁଠି ନଳକୂପ ଖରାପ, କେଉଁଠି ସୋଲାର ଖରାପ ତ କେଉଁଠି ପାଣି ଟାଙ୍କି ଵର୍ଷ ଵର୍ଷ ଧରି ଖରାପ, କିଛି ନଳକୂପରେ ଲୁହା ଓ ପଙ୍କ ଦୁର୍ଗନ୍ଧପାଣି ବାହାରୁଛି, ଯାହାକୁ କି ବ୍ୟବହାର କରିବା ଯୋଗ୍ୟ ନୁହେଁ। ଏଥିପାଇଁ ସରକାର ସ୍ଵଜଳ ଧାରା, ବସୁଧା ପରି ମାଳମାଳ ଯୋଜନା ଜରିଆରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି, ମାତ୍ର ତାର ସୁଫଳ ରୂପାୟନ ହୋଇ ପାରୁନାହିଁ।ଏଣୁ ଜିଲ୍ଲାର ସମସ୍ତ ଗ୍ରାମରେ ରହିଥିବା ଜଳଉତ୍ସ ଗୁଡ଼ିକୁ ଅନୁଧ୍ୟାନ କରି ବିହିତ ପଦକ୍ଷେପ ନେବା ପାଇଁ ସଙ୍ଗଠନର ଜିଲ୍ଲା କମିଟିର ସଦସ୍ୟ ସଦସ୍ୟା ଏରେ ମାଢୀ, ଦହନା ମାଡ଼କାମୀ, ଶୁଭଶ୍ରୀ ମାଢୀ, ରାମ ଵଡ଼ନାୟକ, ଗୋବର୍ଦ୍ଧନ ପାଙ୍ଗୀ, ସିନେଶ ପେଲମାଲ, ମୁକୁନ୍ଦ ମାଡ଼କାମୀ, ସୀତାରାମ ଦୁରୁଆ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାଵୀପତ୍ର ପ୍ରଦାନ କରିବାକୁ ଯାଇ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ତାଙ୍କ ପିଏଙ୍କୁ ପ୍ରଦାନ କରିଛନ୍ତି।
Related Stories
November 23, 2024