ଭୁବନେଶ୍ୱର,ଅଖିଳ ଭାରତୀୟ ସାଂସ୍କୃତିକ ସଂଗଠନ ସଂସ୍କାର ଭାରତୀର ସଂସ୍ଥାପକ ପଦ୍ମଶ୍ରୀ ବାବା ଯୋଗେନ୍ଦ୍ରଜୀଙ୍କର ଗତ ୧୦ ତାରିଖ ଶୁକ୍ରବାର ଦିନ ଲକ୍ଷୈ୍ନା ଠାରେ ମହାପ୍ରାୟଣ ହୋଇଯାଇଛି । ଯୋଗେନ୍ଦ୍ରଜୀଙ୍କ ସ୍ମୃତି ପ୍ରତି ସମ୍ମାନପ୍ରଦର୍ଶନ ଉଦ୍ଦେଶ୍ୟରେ ସଂସ୍କାର ଭାରତୀ ଉତ୍କଳ ପୂର୍ବପ୍ରାନ୍ତ ପକ୍ଷରୁ ଭୁବନେଶ୍ୱର ୟୁନିଟ-୩ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଓଡିଶା ପୂର୍ବ ପ୍ରାନ୍ତର ଅଧ୍ୟକ୍ଷ ଶାନ୍ତନୁ କୁମାର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବ ପ୍ରାନ୍ତର ସଂଘଚାଳକ ସମୀର କୁମାର ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।
୧୯୮୧ ମସିହା ବେଳକୁ ଯୋଗେନ୍ଦ୍ରଜୀଙ୍କ ନେତୃତ୍ୱରେ ସର୍ବଭାରତୀୟ ସ୍ତରରେ ଦେଶର କଳା ଓ କଳାକାରମାନଙ୍କୁ ଏକତ୍ରୀତ କରି ଏକ ରାଷ୍ଟ୍ରୀୟ ସଂଗଠନ ପ୍ରତିଷ୍ଠା ହୋଇଥିଲା । ଏହାର ନାମ ରହିଲା ସଂସ୍କାର ଭାରତୀ । ଅଦମ୍ୟ ଉତ୍ସାହ, ଅବିରତ ସଂକଳ୍ପ ଶକ୍ତି ବଳରେ ବାବା ଯୋଗେନ୍ଦ୍ରଜୀ ଏହି ଅନୁଷ୍ଠାନକୁ ଏକ ବିଶାଳ ଅନୁଷ୍ଠାନରେ ପରିଣତ କରିଛନ୍ତି । ବାବା ଯୋଗେନ୍ଦ୍ରଜୀଙ୍କ ଜନ୍ମ ୧୯୨୪ ମସିହା ଉତରପ୍ରଦେଶର ବସ୍ତି ଜିଲ୍ଲାରେ ହୋଇଥିଲା । ୧୯୪୨ ମସିହାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରେ ଯୋଗଦେବା ପରଠାରୁ ସେ ୯୮ ବର୍ଷରେ ଦେହାନ୍ତ ହେବା ପର୍ଯ୍ୟନ୍ତ ଅତ୍ୟନ୍ତ ସକ୍ରିୟତାର ସହ ସଂସ୍କାର ଭାରତୀର ମାର୍ଗ ଦର୍ଶକ ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କର ଦେହାନ୍ତ ଭାରତୀୟ ସାଂସ୍କୃତିକ ସଂଗଠନରେ ଏକ ଅପୁରଣୀୟକ୍ଷତି । ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ଆକୁମାରୀ ହିମାଚଳ ପର୍ଯ୍ୟନ୍ତ ଭାରତୀୟ ସଂସ୍କୃତିର ବିବିଧତାକୁ ପ୍ରୋତ୍ସାହନ, ସମ୍ବର୍ଦ୍ଧନ କରିବାରେ ସମର୍ପିତ ହୋଇଥିଲା ତାଙ୍କର ଜୀବନ । ନିଜେ ଜଣେ କଳାକାର ଭାବରେ କଳାକାରମାନଙ୍କ ସମସ୍ୟାକୁ ଉପଲବ୍ଧ କରି ସେମାନଙ୍କ କଲ୍ୟାଣ ସାଧନ ପାଇଁ ସେ ବହୁବିଧ ଉଦ୍ୟମ କରି ଆସିଥିଲେ । ସର୍ବଭାରତୀୟ ସଂସ୍କୃତି ପୁରୁଷ ଭାବରେ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ସର୍ବଶ୍ରୀ ଡକ୍ଟର ଗୋପାଳ ପ୍ରସାଦ ମହାପାତ୍ର, ଡକ୍ଟର ସ୍ନେହପ୍ରଭା ସାମନ୍ତରାୟ, ଜୟଦେବ ସେଠ୍, ବିଶ୍ୱନାଥ ବାରିକ, କମଳେଶ ଦାଶ, ଆନନ୍ଦ ଚନ୍ଦ୍ର ପାଣ୍ଡେ, ଜଗନ୍ନାଥ ପଟ୍ଟନାୟକ,ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସଂଜୟ କୁମାର ମିଶ୍ର,ଅସିତବରଣ ମହାପାତ୍ର ପ୍ରମୁଖ ପଦ୍ମଶ୍ରୀ ବାବା ଯୋଗେନ୍ଦ୍ରଜୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ନିତାଇ ନନ୍ଦ, ଦିଲ୍ଲୀପ ଜେନା, ଶ୍ରୀକାନ୍ତ ଦାସ, ବ୍ରହ୍ମାନନ୍ଦ ଦାଶ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।