ପୁରୀ, ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନ କରିବା ପରେ ଶ୍ରୀଜୀଉମାନେ ଜ୍ଵରରେ ପୀଡ଼ିତ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି । ଅଣସର ପିଣ୍ଡିରେ ଦଇତାପତି ସେବକ ମାନେ ଗୁପ୍ତ ସେବା ଜାରୀ ରଖିଛନ୍ତି । ଅଣସର ପିଣ୍ଡିରେ ଆଜି ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗି ହେବ । ଏହି ଫୁଲୁରୀ ତେଲ ଓଡ଼ିଆ ମଠ ପକ୍ଷରୁ ଯୋଗାଇ ଦିଆଯାଇଛି । ପୀଡ଼ା ଲାଘବ ପାଇଁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଏହି ଫୁଲୁରୀ ତେଲ ଲାଗି ହେବାର ବିଧି ରହିଛି । ଦଇତାପତି ସେବକ ମାନେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଏହି ତେଲ ମାଲିସ କରିଥାନ୍ତି ।
ଏହି ତେଲ ପ୍ରସ୍ତୁତି ପାଇଁ ବଡ଼ ଓଡ଼ିଆ ମଠ ପକ୍ଷରୁ ଗତ ବର୍ଷ ହେରାପଚଂମୀ ଦିନ ତିନୋଟି ମାଟି ପାତ୍ରରେ ଘଣା ପେଡା ରାଶି ତେଲ, ବେଣା ଚେର, କୃଷ୍ଣଭୋଗ ଧାନ, କେତକୀ ଫୁଲ, ବିଭିନ୍ନ ସୁବାଷିତ ଫୁଲ ଓ ଔଷଧିୟ ସାମଗ୍ରୀ ମିଶ୍ରିତ ହୋଇ ଏହି ମାଟିପାତ୍ରର ମୁହଁ ବନ୍ଧା ଯାଇ ମଠ ପରିସରରେ ପୋତି ଦିଆଯାଇଥିଲା । ମଠାଧିଶ ଏହି ତେଲ ଶ୍ରୀମନ୍ଦିରରେ ପତି ମାହାପାତ୍ରଙ୍କୁ ଦେବା ପରେ ତାହାକୁ ସଂସ୍କାର କରାଯାଇ ଦଇତାପତି ମାନେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲଗାଇଥାନ୍ତି । ଏହି ତେଲ ମାଲିସ୍ ଦ୍ଵାରା ଶ୍ରୀଜୀଉଙ୍କ ସ୍ନାନଜନିତ ଶରୀର ପୀଡ଼ା ଲାଘବ ହୋଇଥାଏ ବୋଲି ବିଶ୍ଵାସ ରହିଛି । ଏହାପରେ ଓଷ ଲାଗିର ପରମ୍ପରା ରହିଛି । ଯାହାକି ଶ୍ରୀଜୀଉଙ୍କ ମାନବୀୟ ଲୀଳାର ଅନ୍ୟ ଏକ ନିଦର୍ଶନ ।