
ଭଦ୍ରକ – ଆଜି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଭକ୍ତି ବ୍ରହ୍ମପୁର ପଂଚାୟତର କରସାହିରେ ଘରୋଇ କଳିକୁ ନେଇ ଜନୈକା ବିବାହିତା ମହିଳାଙ୍କର ପୋଡି ହୋଇ ମୃତୁ୍ୟ ହୋଇଥିବାର ଜଣାପଡିଛି । ଏ ସଂପର୍କରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲୁରହିଛି । ତେବେ ଏହି ଘଟଣାରେ ମହିଳାଙ୍କର ସ୍ୱାମୀକୁ ପୁଲିସ୍ ଅଟକ ରଖି ତଦନ୍ତ ଚଳାଇଛି । ଥାନାରେ ଅଟକ ଥିବା ମହିଳାଙ୍କ ସ୍ୱାମୀଙ୍କ ନିକଟରୁ ମିଳିଥିବା ତଥ୍ୟ ଅନୁସାରେ ପ୍ରାୟ ୨ ବର୍ଷ ତଳେ ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ବଣିଆ ଗ୍ରାମନିବାସୀ ପ୍ରଫୁଲ୍ଲ ପରିଡାଙ୍କ କନ୍ୟା ସୁଭଦ୍ରା (୨୭) ସହ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଭକ୍ତିବ୍ରହ୍ମପୁର ପଂଚାୟତ କରସାହି ନିବାସୀ ଜଗବନ୍ଧୁ ସାହୁଙ୍କ ପୁତ୍ର ବଳରାମର ବୈଦିକ ମତେ ବିବାହ ହୋଇଥିଲା । ବଳରାମ ସ୍ଥାନୀୟ ଅର୍ଣ୍ଣପାଳ ବଜାର ଓ ପର୍ବପର୍ବାଣୀରେ ଠେଲାଗାଡିରେ ଫାଷ୍ଟଫୁଡ୍ ବ୍ୟବସାୟ କରେ । ସୁଭଦ୍ରାଙ୍କର ଅନନ୍ୟା ନାମ୍ନୀ ଏକ ସାତ ମାସର କନ୍ୟା ରହିଛି । ସ୍ୱାମୀ ବଳରାମ ପୁଲିସ୍କୁ ଦେଇଥିବା ସୂଚନା ଅନୁସାରେ ଆଜି ଶାଶୁ ସରସ୍ୱତୀଙ୍କ ସହ ସୁଭଦ୍ରାର ଘରୋଇ ସମସ୍ୟାକୁ ନେଇ ଝଗଡା ହୋଇଥିଲା । ଏହି ଘଟଣାକୁ ନେଇ ସୁଭଦ୍ରା ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଶୋଇବା ଘର କବାଟ ଭିତର ପଟୁ ଦେଇ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲା । ଫଳରେ ସ୍ୱାମୀ ଓ ଗ୍ରାମବାସୀମାନେ କବାଟ ଭାଂଗି ତାକୁ ମୁମୁର୍ଷ ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ଜିଲା ମୁଖ୍ୟ ଚିକିସôାଳକୁ ଆଣିଥିଲେ । ସୁଭଦ୍ରା ଶରୀରର ପ୍ରାୟ ୯୦ ପ୍ରତିଶତ ଜଳିଯାଇଥିବାରୁ ଡାକ୍ତରମାନେ ତାକୁ କଟକ ସ୍ଥାନାନ୍ତର କରିଥିଲେ । ମାତ୍ର ଆମ୍ବୁଲାନ୍ସ ଯୋଗେ କଟକ ଯିବା ରାସ୍ତାର ଭଣ୍ଡାରିପୋଖରୀ ନିକଟରେ ତାର ମୃତୁ୍ୟ ହୋଇଯାଇଥିଲା । ଏହି ଘଟଣାରେ ସୁଭଦ୍ରାଙ୍କ ପରିବାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ଥାନାରେ ଦିଆଯାଇନଥିବାର ଜଣାପଡିଛି । ପୁଲିସ୍ ଏହି ଘଟଣାରେ ଏକ ମାମଲା ରୁଜୁ କରି ଶବ ଜବତ ସହ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଡାକ୍ତରଖାନାକୁ ପଠାଇଛି । ରାତି ହୋଇଯାଇଥିବାରୁ ଆସନ୍ତାକାଲି ଶବ ବ୍ୟବେଚ୍ଛଦ ହେବ ବୋଲି ଜଣାପଡିଛି ।