-
10ଜିଲାକୁ ବ୍ରହ୍ମପୁର ଯୋଗାଉଛି ଆଚାର
ସ୍ଥାନୀୟ ମିନାକ୍ଷୀନଗର ଠାରେ ମହାନଗର ନିଗମ ତରଫରୁ ନିର୍ମାଣ ହୋଇଛି ମିଶନ ଶକ୍ତି ମଲ୍। ଏଥି ପାଇଁ ନିଗମ ପକ୍ଷରୁ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏହି ମିଶନ ଶକ୍ତି ମଲ୍ରେ ହିଁ ରହିଛି ଆଚାର ଉତ୍ପାଦନ କେନ୍ଦ୍ର। ବିଘ୍ନେଶ୍ବର ସ୍ବୟଂ ସହାୟକ ଗୋଷ୍ଠୀ-୨କୁ ଏହି କାର୍ଯ୍ୟରେ ନିଯୁକ୍ତି ଦିଆଯାଇଛି । ଗତ କିଛି ମାସ ପୂର୍ବରୁ ଏହି ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ମହାନଗର ନିଗମର ଦୁଇଜଣ ଅଧିକାରୀ ମୟସୁରର ସିଏଫ୍ଟିଆରଆଇରେ ତାଲିମ୍ ନେଇଥିଲେ । ସେଠାରୁ ତାଲିମ୍ ନେଇ ଆସିବା ପରେ ବ୍ରହ୍ମପୁରରେ ଉତ୍ପାଦନ ଆରମ୍ଭ ହୋଇଥିଲା । ମଲ୍ ନିର୍ମାଣ ହେବା ପୂର୍ବରୁ ଗୋସାଇଁନୂଆଗାଁ ଠାରେ ଅସ୍ଥାୟୀ ଭାବେ ଆଚାର ଉତ୍ପାଦନ କରାଯାଉଥିଲା । ପରେ ମିନାକ୍ଷୀନଗର ସ୍ଥିତ ମଲ୍ ନିର୍ମାଣ ହେବା ପରେ ସେଠାକୁ ସ୍ଥାନାନ୍ତର ହୋଇଥିଲା । ଗଜପତି ଏବଂ କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳରୁ ସ୍ଥାନୀୟ ସ୍ବୟଂ ସହାୟିକା ଗୋଷ୍ଠୀ ଜରିଆରେ ଆମ୍ବ କିଣାଯାଉଛି । ଉତ୍ପାଦନ କେନ୍ଦ୍ରରେ ତାହାକୁ ଉପଯୁକ୍ତ ଏବଂ ସ୍ବାସ୍ଥ୍ୟକର ପରିବେଶରେ ଆଚାର ପ୍ରସ୍ତୁତ କରାଯାଉଛି । ଗତ ବର୍ଷ ଠାରୁ ହିଁ ଆଚାର ଉତ୍ପାଦନ ଆରମ୍ଭ ହୋଇଯାଇଥିଲା । ରାଜ୍ୟ ସରକାରଙ୍କ ଉଦ୍ୟମରେ ଏଠାରୁ ପ୍ରସ୍ତୁତ ହେଉଥିବା ଆଚାରକୁ ଗଞ୍ଜାମ, ଗଜପତି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ସମେତ ଦକ୍ଷିଣ ଓଡ଼ିଶାର ୧୦ଟି ଜିଲାର ‘ଆହାର’ କେନ୍ଦ୍ରକୁ ପଠାଯାଉଛି । ଆଚାର କିଲୋ ପ୍ରତି ୪୭ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଆହାର କେନ୍ଦ୍ରକୁ ମାତ୍ର ୫୧ ଟଙ୍କାରେ ବିକ୍ରି କରାଯାଉଛି । ଫଳରେ ଲାଭ କମ୍ ହେଉଛି । କିନ୍ତୁ ଗତ କିଛି ମାସ ହେଲା ସ୍ଥାନୀୟ ବଜାରକୁ ମଧ୍ୟ ଆଚାର ବିକ୍ରି କରିବା ଦିଗରେ ମହାନଗର ନିଗମ ତରଫରୁ ଉଦ୍ୟମ ହୋଇଛି । ଏନେଇ କେତେକ ହୋଟେଲ୍ ସହ ଆଲୋଚନା ହୋଇଛି । ଆଉ କେତେକ ହୋଟେଲକୁ ବିକ୍ରି ମଧ୍ୟ ଆରମ୍ଭ ହୋଇଗଲାଣି । କିନ୍ତୁ ତାହାର ପରିମାଣ ଖୁବ୍ କମ୍। ବର୍ତ୍ତମାନ ସ୍ଥାନୀୟ ବଜାରରେ ମାସିକୁ ମାତ୍ର ଦେଢ଼ କୁଇଣ୍ଟାଲ୍ ଆଚାର ହିଁ ବିକ୍ରି ହେଇପାରୁଥିବା ସୂଚନା ମିଳିଛି ।