ଭୁବନେଶ୍ୱର, ଆଜି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରୁ ୨୦ ତାରିଖରୁ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଯିବେ । ମୁଖ୍ୟମନ୍ତ୍ରୀ ୧୩ ଦିନିଆ ବିଦେଶ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ସାଢ଼େ ୧ଟାରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିବେ । ସେଠାରୁ ୨୦ତାରିଖ ୪ଟା ୧୫ ମିନିଟରେ ଇଟାଲୀର ରୋମ୍ ଅଭିମୁଖେ ଗସ୍ତ କରିବେ । ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଓ କିଛି ବନ୍ଧୁ ମଧ୍ୟ ରୋମ୍ ଗସ୍ତରେ ଯିବେ । ମୁଖ୍ୟମନ୍ତ୍ରୀ ରୋମରେ ଆୟୋଜିତ ହେବାକୁ ଥିବା ୱାଲର୍ଡ ଫୁଡ୍ ପ୍ରୋଗ୍ରାମ ରେ ଓଡ଼ିଶାର ସଫଳତା କାହାଣୀ ସମ୍ପର୍କରେ ଏକ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହାସହିତ ଇଟାଲୀର ବିଭିନ୍ନ ସ୍ଥାନ ପରିଭ୍ରମଣ କରିବେ ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୬ତାରିଖ ଅପରାହ୍ନ ୩ଟା ୨୫ରେ ରୋମରୁ ଦୁବାଇ ଅଭିମୁଖେ ଗସ୍ତ କରିବେ । ଦୁବାଇରେ ୨୯ତାରିଖରେ ଭାରତ ସରକାର ଓ ଫିକ୍କି ଦ୍ୱାରା ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ଯୋଗ ଦେବେ । ୩୦ ତାରିଖ ଅପରାହ୍ନରେ ୩ଟା ୨୫ ମିନିଟରେ ଦୁବାଇ ଛାଡ଼ିବେ ଓ ରାତି ୮ଟା ୨୦ରେ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ରାତି ୯ଟା ୩୦ମିନିଟରେ ଭୁବନେଶ୍ୱର ଅଭିମୁଖେ ଆସିବେ ଓ ସାଢ଼େ ୧୧ଟାରେ ପହଂଚିବେ ବୋଲି କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି ।
୨୨ବର୍ଷର କାର୍ଯ୍ୟକାଳ ମଧ୍ୟରେ ନବୀନଙ୍କ ଏହା ଦ୍ୱିତୀୟ ବିଦେଶ ଗସ୍ତ ।