-
ମାଙ୍କ ଜୀବନର ୧୦୦ତମ ବର୍ଷରେ ଭାବପ୍ରବଣତାପୂର୍ଣ୍ଣ ବ୍ଲଗ୍ ଲେଖିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ଜୀବନର ୧୦୦ତମ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ତାଙ୍କ ମା’ଙ୍କ ପାଇଁ ଏକ ଭାବପ୍ରବଣତାପୂର୍ଣ୍ଣ ବ୍ଲଗ୍ ଲେଖିଛନ୍ତି । ମା’ଙ୍କ ସହ ବିତାଇଥିବା ପିଲାଦିନର କିଛି ସ୍ୱତନ୍ତ୍ର ମୁହୂର୍ତର ସେ ସ୍ମୃତିଚାରଣ କରିଛନ୍ତି । ତାଙ୍କ ମା’ ଅନେକ ବଳିଦାନ ଦେଇଥିବା ପିଲା ଦିନରୁ ସେ ଦେଖି ଆସିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତାଙ୍କ ମନ, ବ୍ୟକ୍ତିତ୍ୱ ଏବଂ ଆତ୍ମବିଶ୍ୱାସକୁ ରୂପ ଦେବାରେ ତାଙ୍କ ମା’ଙ୍କର ବିଭିନ୍ନ ଗୁଣାବଳୀ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।
‘‘ଆଜି ମୁଁ ନିଜର ଖୁସି, ନିଜର ସୌଭାଗ୍ୟ, ଆପଣମାନଙ୍କ ସହିତ ବାଣ୍ଟିବା ଲାଗି ଚାହୁଁଛି । ମୋ ମା’, ହୀରାବା ଆଜି ନିଜ ଜୀବନର ୧୦୦ତମ ବର୍ଷରେ ପ୍ରବେଶ କରୁଛନ୍ତି, ତାଙ୍କର ଜନ୍ମ ଶତବାର୍ଷିକୀ ବର୍ଷ ଆରମ୍ଭ ହେଉଛି’’, ପ୍ରଧାନମନ୍ତ୍ରୀ ଲେଖିଛନ୍ତି । ପିଲା ଦିନେ ତାଙ୍କ ମା’ ସହିଥିବା କଷ୍ଟଯନ୍ତ୍ରଣା ବିଷୟରେ ସ୍ମୃତିଚାରଣ କରି, ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘‘ମୋ ମା’ ଯେତିକି ସାଧାରଣ, ସେତିକି ଅସାଧାରଣ ମଧ୍ୟ । ଠିକ୍ ସେମିତି, ଯେମିତି ସବୁ ପରିବାରରେ ମା’ ମାନେ ହୋଇଥାନ୍ତି ।’’ ଖୁବ ଅଳ୍ପ ବୟସରେ ପ୍ରଧାନମନ୍ତ୍ରୀଙ୍କ ମା’ ତାଙ୍କ ମାତାଙ୍କୁ ହରାଇଥିଲେ । ସେ କହିଛନ୍ତି, ଆଈଙ୍କ ମୁହଁ, ତାଙ୍କର କୋଳ, ଏସବୁ କିଛି କଥା ମା’ଙ୍କର ମନେ ନାହିଁ । ଆପଣମାନେ ଚିନ୍ତା କରନ୍ତୁ, ମୋ ମା’ଙ୍କ ପିଲାଦିନ ମା’ର କୋଳ ବିନା ବିତିଥିଲା ।’’
ପ୍ରଧାନମନ୍ତ୍ରୀ ତାଙ୍କ ପିଲାଦିନ କଥା ମନେ ପକାଇ କହିଛନ୍ତି ଯେ, ବଡ଼ନଗରରେ ସେମାନେ ଏକ ଛୋଟିଆ ଘରେ ରହୁଥିଲେ ଯାହାକି ମାଟି କାନ୍ଥ ଏବଂ ଟାଇଲ ଛପର ଘର ଥିଲା । ସେଠାରେ ମାତାପିତା ଓ ଭାଇଭଉଣୀଙ୍କ ସହ ସେ ରହୁଥିଲେ । ଦୈନନ୍ଦିନ ଜୀବନରେ ତାଙ୍କ ମା’ ଅନେକଗୁଡ଼ିଏ ପ୍ରତିକୂଳ ପରିସ୍ଥିତିର ସମ୍ମୁଖିନ ହୋଇଥିଲେ, କିନ୍ତୁ ସଫଳତାର ସହ ସବୁ ବାଧା ସେ ଦୂର କରିପାରିଥିଲେ ।
ତାଙ୍କ ମା’ ନିଜେ ସବୁ ଘରକରଣା କାମ କରିବା ସହିତ ପରିବାରର ଆୟରେ ସହାୟତା ପାଇଁ ରୋଜଗାର ମଧ୍ୟ କରୁଥିଲେ । ସେ କିଛି ଲୋକଙ୍କ ଘରେ ବାସନ ମାଜୁଥିଲେ ଏବଂ ଘର ଖର୍ଚ୍ଚ ତୁଲାଇବା ପାଇଁ ସମୟ ବାହାର କରି ଚରଖା ମଧ୍ୟ ଚଲାଉଥିଲେ । ‘‘ବର୍ଷା ଦିନେ ଆମ ଘର ଭିତରେ ଚାରି ଆଡ଼ୁ ପାଣି ଗଳୁଥିଲା । ଘର ସାରା ପାଣି ଖେଳିଯିବା, କାନ୍ଥ ନଷ୍ଟ ହୋଇଯିବାର ଡରରେ, ମା’ ମାଟି ଉପରେ ବାସନକୁସନ ରଖି ଦେଉଥିଲେ । ଛାତରୁ ଗଳୁଥିବା ପାଣି ସେଥିରେ ଏକତ୍ରିତ ହେଉଥିଲା । ସେଭଳି ପରିସ୍ଥିତିରେ ସୁଦ୍ଧା ମୋ ମା’ ସହନଶୀଳତାର ପ୍ରତୀକ ଥିଲେ ।’’
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସଫେଇ କାମ କରୁଥିବା ଲୋକମାନଙ୍କୁ ମଧ୍ୟ ମା’ ବହୁତ ସମ୍ମାନ ଦେଇଥାନ୍ତି । ବଡ଼ନଗରରେ ଆମ ଘର ପାଖରେ ଥିବା ନଳା ସଫା କରିବା ଲାଗି ଆସୁଥିବା ଲୋକମାନଙ୍କୁ ମା’ ନିଶ୍ଚିତ ଭାବେ ଚା’ ପିଆଇଥାନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ, ଔପଚାରିକ ଶିକ୍ଷା ଲାଭ ନକରି ମଧ୍ୟ ଜଣେ ବାସ୍ତବରେ କିଭଳି ଜ୍ଞାନୀ ହୋଇପାରିବ, ଏ କଥା ମା’ଙ୍କ ଠାରୁ ଶିଖି ପାରିଛନ୍ତି ।ଥରେ ସେ ତାଙ୍କ ଶିକ୍ଷକମାନଙ୍କୁ ସର୍ବସାଧାରଣ କାର୍ଯ୍ୟକ୍ରମରେ ସମ୍ମାନିତ କରିବାକୁ ଚାହୁଁଥିଲେ । ଜୀବନର ସବୁଠୁ ବଡ଼ ଶିକ୍ଷକ ମା’ଙ୍କୁ ମଧ୍ୟ ସେ ସମ୍ମାନିତ କରିଥାନ୍ତେ । କିନ୍ତୁ ତାଙ୍କର ଏହି ପ୍ରସ୍ତାବକୁ ତାଙ୍କ ମା’ ଗ୍ରହଣ କରିନଥିଲେ । ବରଂ ସେ କହିଥିଲେ, ‘‘ଦେଖ ପୁଅ, ମୁଁ ତ’ ନିମିତ ମାତ୍ର । ତୁମେ ମୋ କୋଳରୁ ଜନ୍ମ ନେବା, ବିଧିର ବିଧାନ ଥିଲା । ମୁଁ ନୁହେଁ ବରଂ ଭଗବାନ ତୁମକୁ ବଡ଼ କରିଛନ୍ତି, ଶିକ୍ଷା ଦେଇଛନ୍ତି ।’’
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ତାଙ୍କ ମା’ ନିଜେ କାର୍ଯ୍ୟକ୍ରମକୁ ଆସିନଥିଲେ, କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ଅକ୍ଷର ଜ୍ଞାନ ଶିକ୍ଷା ଦେଇଥିବା ଜେଠାଭାଇ ଯୋଶୀଙ୍କ ପରିବାର ଲୋକଙ୍କୁ ନିଶ୍ଚିତ ଭାବେ ଡାକିବା ପାଇଁ କହିଥିଲେ । ‘‘ତାଙ୍କର ଚିନ୍ତାଧାରା ଏବଂ ଦୂରଦୃଷ୍ଟି ମୋତେ ସବୁବେଳେ ଆଚମ୍ବିତ କରିଥିଲା’’, ସେ କହିଥିଲେ ।
ମା’ଙ୍କର ଅତି ସରଳ ଜୀବନଶୈଳୀ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ଆଜି ମଧ୍ୟ ତାଙ୍କ ମା’ଙ୍କ ନାଁରେ କିଛି ସମ୍ପତି ନାହିଁ । ‘‘ମୁଁ ତାଙ୍କୁ କେବେ ବି ସୁନା ଅଳଙ୍କାର ପିନ୍ଧିଥିବା ଦେଖିନାହିଁ ଏବଂ ତାଙ୍କର ଏଥିପ୍ରତି କୌଣସି ଆଗ୍ରହ ନଥିଲା । ପୂର୍ବ ଭଳି, ଏକ ଛୋଟିଆ କୋଠରୀରେ ସେ ଅତି ସରଳ ଜୀବନଶୈଳୀ ନିର୍ବାହ କରୁଛନ୍ତି’’, ପ୍ରଧାନମନ୍ତ୍ରୀ କହିଥିଲେ ।
ସେ ତାଙ୍କ ବ୍ଲଗ୍ ରେ ଲେଖିଛନ୍ତି, ‘‘ନିକଟରେ ମୁଁ ମା’ଙ୍କୁ ପଚାରିଲି ଯେ, ଦିନକୁ କେତେ ସମୟ ଟିଭି ଦେଖୁଛ? ମା’ କହିଲେ, ଟିଭିରେ ଯେତେବେଳେ ଦେଖିବ ସବୁବେଳେ ସମସ୍ତେ ନିଜ ନିଜ ମଧ୍ୟରେ କେବଳ ଝଗଡା କରୁଛନ୍ତି । ହଁ କିଛି ଲୋକ ଅଛନ୍ତି ଯେଉଁମାନେ ଶାନ୍ତ ଭାବେ ଖବର ପଢ଼ିଥାନ୍ତି ଏବଂ ସବୁକିଛି ବୁଝାଇ ଥାଆନ୍ତି । ମୁଁ ଖୁସିରେ ସେମାନଙ୍କୁ ଦେଖିଥାଏ । ମୁଁ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲି ଯେ, ମା’ ଘଟଣା ଉପରେ ଏତେ ଧ୍ୟାନ ଦେଉଛନ୍ତି ।
ତାଙ୍କ ମା’ କେବଳ ଅନ୍ୟମାନଙ୍କ ଇଚ୍ଛାକୁ ସମ୍ମାନ ଦେଇନଥାନ୍ତି, ବରଂ ନିଜ ଇଚ୍ଛାକୁ କାହା ଉପରେ ଲଦି ଦେବା ଠାରୁ ସେ ଦୂରେଇ ରହିଥାନ୍ତି । ‘‘ବିଶେଷ କରି ମୋ କ୍ଷେତ୍ରରେ, ସେ ସବୁବେଳେ ମୋ ନିଷ୍ପତ୍ତିକୁ ସମ୍ମାନ ଜଣାଇଥିଲେ, କେବେ ବି ମୋ ପାଇଁ ବାଧା ସୃଷ୍ଟି କରିନାହାନ୍ତି ଏବଂ ସବୁବେଳେ ମୋତେ ଉତ୍ସାହିତ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସଚ୍ଚୋଟତା ଏବଂ ସ୍ୱାଭିମାନ ତାଙ୍କ ମାତାପିତାଙ୍କର ସବୁଠୁ ବଡ଼ ଗୁଣ ଥିଲା । ଦାରିଦ୍ର୍ୟ ଏବଂ ଏହା ସହ ଜଡ଼ିତ ସମସ୍ୟାରେ ସଂଘର୍ଷ କରୁଥିଲେ ମଧ୍ୟ ତାଙ୍କ ମାତାପିତା କେବେ ବି ସଚ୍ଚୋଟତାର ମାର୍ଗ ଛାଡ଼ିନଥିଲେ କିମ୍ବା ସ୍ୱାଭିମାନ ସହ ସାଲିସ କରିନଥିଲେ । ଯେକୌଣସି ଆହ୍ୱାନର ମୁକାବିଲା କରିବା ଲାଗି ସେମାନଙ୍କର ପ୍ରମୁଖ ମନ୍ତ୍ର ଥିଲା ନିରନ୍ତର କଠିନ ପରିଶ୍ରମ । ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ‘‘ମୋ ମା’ଙ୍କର ଜୀବନ କାହାଣୀରେ, ମୁଁ ଭାରତର ମାତୃଶକ୍ତିଙ୍କ ତପସ୍ୟା, ବଳିଦାନ ଏବଂ ଯୋଗଦାନକୁ ଦେଖିଥାଏ । ମୁଁ ଯେତେବେଳେ ମା’ଙ୍କୁ ଦେଖିଥାଏ ଏବଂ ତାଙ୍କ ଭଳି କୋଟି କୋଟି ମହିଳାମାନଙ୍କୁ ଦେଖିଥାଏ, ଭାରତୀୟ ମହିଳାଙ୍କ ପାଇଁ କିଛି ବି ଅସମ୍ଭବ ନୁହେଁ ବୋଲି ମୁଁ ଅନୁଭବ କରିଥାଏ ।’’
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ମା’ଙ୍କ ପ୍ରେରଣାଦାୟୀ ଜୀବନ କାହାଣୀକୁ କିଛି ଶବ୍ଦରେ ବର୍ଣ୍ଣନା କରି କହିଛନ୍ତି, ‘‘ଅଭାବର ସବୁ କାହାଣୀ ଠାରୁ ଊର୍ଦ୍ଧ୍ୱରେ, ଜଣେ ମା’ର ଗୌରବ ଗାଥା, ପ୍ରତ୍ୟେକ ସଂଘର୍ଷ ଠାରୁ ଊର୍ଦ୍ଧ୍ୱରେ, ଜଣେ ମା’ର ଦୃଢ଼ ସଂକଳ୍ପ ।’’