ଭୁବନେଶ୍ୱର – ବିରୋଧି ଦଳର ହଟ୍ଟଗୋଳ ମଧ୍ୟରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ୨୦୧୯-୨୦ ଆର୍ଥିକ ବର୍ଷର ୮୧୨୬.୩୨ କୋଟି ଟଙ୍କାର ପ୍ରଥମ ଅତିରିକ୍ତ ଖର୍ଚ୍ଚଦାବି କରିଛନ୍ତି । ଏଥି ମଧ୍ୟରୁ ପ୍ରଶାସନିକ ବ୍ୟୟ ପାଇଁ ୨୬୭.୨୩ କୋଟି ଟଙ୍କା ରଖାଯାଇଥିଲା ବେଳେ କାର୍ଯ୍ୟକ୍ରମ ବ୍ୟୟ ପାଇଁ ୭,୪୩୨.୮୦ କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୬.୫୨ କୋଟି ଟଙ୍କା ଏବଂ ରାଜ୍ୟ ବଜେଟ୍ରୁ ସ୍ଥାନାନ୍ତର ପାଇଁ ୪୧୯.୭୮ କୋଟି ଟଙ୍କା ରଖାଯାଇଛି ।
ଜନମଙ୍ଗଳ ରାଷ୍ଟ୍ରରେ ସମ୍ବଳର ଉପଲବ୍ଧତା ଏବଂ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାକୁ ଆଖି ଆଗରେ ରଖି ଉପଲବ୍ଧ ସମ୍ବଳର ପୁନଃବିନିଯୋଗ କରି ଓ ବିଭିନ୍ନ ସୂତ୍ରରୁ ସହବନ୍ଧିତ ସମ୍ବଳର ପ୍ରାପ୍ତିକୁ ପ୍ରତ୍ୟାଶା କରି ଅତିରିକ୍ତ ବଜେଟ୍ ପାଇଁ ବ୍ୟୟବରାଦ କରାଯାଇଛି । ଏହା ନିଶ୍ଚିତଭାବେ ଜନସାଧାରଣଙ୍କର ମଙ୍ଗଳ ଓ ଉନ୍ନୟନରେ ସହାୟକ ହେବ । ନିମ୍ନଲିଖିତ ପରିପ୍ରେକ୍ଷୀରେ ଅତିରିକ୍ତ ବ୍ୟୟବରାଦର ଆବଶ୍ୟକତା ରହିଛି ।
ବଜେଟ୍ ଉପସ୍ଥାପନ ପରେ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ, ଅତିରିକ୍ତ ବଜେଟ୍ରେ ବ୍ୟୟ ବରାଦ ହୋଇଥିବା ୮,୧୨୬.୩୨ କୋଟି ଟଙ୍କା ମଧ୍ୟରୁ ସହବନ୍ଧିତ ସମ୍ବଳ ସୂତ୍ରରୁ ୨,୯୮୧.୮୮ କୋଟି ଟଙ୍କା, ଅଣବନ୍ଧିତ ସମ୍ବଳରୁ ୧୦୦୦ କୋଟି ଟଙ୍କା ଓ ବିଭିନ୍ନ ବିଭାଗ ଦ୍ୱାର ସମର୍ପିତ ହୋଇଥିବା ବ୍ୟୟବରାଦ ଓ ଅନୁଦାନରୁ ସମର୍ପଣ ଦ୍ୱାରା ୪,୧୪୪.୫୦କୋଟି ଟଙ୍କା ।
ଆରକ୍ଷୀ ବ୍ୟବସ୍ଥା ବ୍ୟତୀତ ଲୋକସଭା, ରାଜ୍ୟ ବିଧାନସଭା ନିର୍ମିତ ଏକକ ନିର୍ବାଚନ ପରିଚାଳନା ପାଇଁ ୨୦ କୋଟି ଟଙ୍କା ପ୍ରଶାସନିକ ବ୍ୟୟ ବ୍ୟବସ୍ଥାରେ ରହିଛି । ସେହିପରି ଇଭିଏମ୍ କିଣିବା ପାଇଁ ୧୬.୧୧ କୋଟି ଟଙ୍କା, ଡାକ୍ତରଖାନା ଗୁଡ଼ିକର ମ୍ୟୁନିସପାଲଟି ଟିକସ ବାବଦକୁ ୨୪.୮୪ କୋଟି ଟଙ୍କା, ରାଜ୍ୟ ଉଠା ଜଳସେଚନ ନିଗମକୁ ଅନୁଦାନ ଓ ଆର୍ଥିକ ପ୍ରୋତ୍ସାହନ ପାଇଁ ୨୩ କୋଟି ଟଙ୍କା, ବିଧାନସଭା ପରିସର ନିର୍ମାଣ ଓ ନବୀକରଣ ନିମନ୍ତେ ୮.୮୪ କୋଟି ଟଙ୍କା, ଫାଷ୍ଟ ଷ୍ଟ୍ରାକ୍ ସ୍ୱତନ୍ତ୍ର ନ୍ୟାୟଳୟ ପାଇଁ ୫.୭୯ କୋଟି ଟଙ୍କା, ମୋ ସରକାର ଯୋଜନାରେ ପୋଲିସ ଥାନା ଗୁଡ଼ିକର ଖର୍ଚ୍ଚ ପାଇଁ ୪.୬ କୋଟି, ତହସିଲ ମାନଙ୍କରେ ଦରଖାସ୍ତ ଦାଖଲ ପାଇଁ ଦେୟ ଓ ବ୍ୟବହାରକାରୀଙ୍କ କ୍ଷତିପୂରଣ ବାବଦ ପାଉଣାର ଭରଣା ପାଇଁ ୪ କୋଟି ଟଙ୍କା ବ୍ୟୟ ବରାଦ ରହିଛି ।
ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୬.୫୨ କୋଟି ଟଙ୍କା, ରାଜ୍ୟ ବଜେଟ୍ରୁ ସ୍ଥାନୀୟ ନିକାୟ ସଂସ୍ଥା ମାନଙ୍କ ପାଇଁ ୪୨୦ କୋଟି ଟଙ୍କା, କେନ୍ଦ୍ର ଅର୍ଥ ଆୟୋଗ ସ୍ଥାନାନ୍ତରିତ ବାବଦକୁ ୪୧୯.୪୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । କୃଷକ କଲ୍ୟାଣ ଖାଦ୍ୟ ନିରାପତା ପାଇଁ ୫୨୭.୪୦କୋଟି ଟଙ୍କା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଗତ ବୀମା ପିମିୟମ ଦେୟ ବାବଦକୁ ୧୯୦ କୋଟି ଟଙ୍କା, ୧ ଟଙ୍କା ହାରରେ ଚାଉଳ ବଂଟନ ପାଇଁ ୧୮୫.୫୨ କୋଟି ଟଙ୍କା, ଏନଏଫଏସ ଅନ୍ତର୍ଗତ ଅନ୍ତରାଜ୍ୟ ପରିବହନ ଓ ଖାଦ୍ୟଶସ୍ୟ ସଦୁପଯୋଗ ଏବଂ ଡିଲଙ୍କ ପ୍ରାପ୍ୟ ଅର୍ଥ ପ୍ରଦାନ ପାଇଁ ୧୨୦.୨୮ କୋଟି ଟଙ୍କା, ଉପଭୋକ୍ତା ସଚେତନତା ପାଇଁ ୧୦ କୋଟି ଟଙ୍କା, ସାମାଜିକ ନିରାପତା କାର୍ଯ୍ୟକ୍ରମ ପାଇଁ ୫୦୧.୫୬ କୋଟି ଟଙ୍କା, ଅବହେଳିତ ଜାତିର କଲ୍ୟାଣ ପାଇଁ ୫୦୦.୫୬ କୋଟି ଟଙ୍କା, ଜନସ୍ୱାସ୍ଥ୍ୟ ସେବା ପାଇଁ ୪୫୯ କୋଟି ଟଙ୍କା, ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୩୭୦ କୋଟି ଟଙ୍କା, ନିର୍ମଳା ଯୋଜନା ପାଇଁ ୧୫ କୋଟି ଟଙ୍କା, ମହିଳା ଶିଶୁ ବିକାଶ ସଶକ୍ତିକରଣ ପାଇଁ ୨୬୦.୯୦ କୋଟି ଟଙ୍କା, ଅତିରିକ୍ତ ପୁଷ୍ଟି କାର୍ଯ୍ୟକ୍ରମ ପାଇଁ ୧୯୦.୨୮ କୋଟି ଟଙ୍କା ଏବଂ ଆଇସିଡିଏସ କାର୍ଯ୍ୟକାରିତା ପାଇଁ ୫୦.୯୪ କୋଟି ଟଙ୍କା, ଆଦିବାସୀ ଉନ୍ନୟନ ଜନଜାତି ଓ ଜାତି ପାଇଁ ୧୧୪.୭୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ପ୍ରାକ୍ ମେଟିକ୍ ଛାତ୍ରବୃତି ନିମନ୍ତେ ୧୪.୭୨ କୋଟି ଟଙ୍କା, ଶିକ୍ଷା, କ୍ରୀଡ଼ା, ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୧୦୭୩.୦୩ କୋଟି ଟଙ୍କା, ସମଗ୍ର ଶିକ୍ଷା ପାଇଁ ୭୯୯.୨୭ କୋଟି ଟଙ୍କା, ମଧ୍ୟାହ୍ନ ଭୋଜନ ପାଇଁ ୫୮.୫୯ କୋଟି ଟଙ୍କା, ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଭିତିଭୂମି ଉନ୍ନୟନ ପାଇଁ ୨୫ କୋଟି ଟଙ୍କା, ଅତ୍ୟାଧୁନିକ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ସହ ଆଇଟିଆଇ ଓ ପଲିଟେକ୍ନିକ କେନ୍ଦ୍ର ଗୁଡ଼ିକର ଉନ୍ନତିକରଣ ପାଇଁ ୫୦ କୋଟି ଟଙ୍କା, ଗ୍ରାମ୍ୟ ଉନ୍ନୟନ ପାଇଁ ୯୪୮.୫୫ କୋଟି ଟଙ୍କା, ଗ୍ରାମୀଣ ଗୃହ ନିର୍ମାଣ ପାଇଁ ୨୫୧.୬୭ କୋଟି ଟଙ୍କା, ବସୁଧା ଯୋଜନା ପାଇଁ ୩୬୦ କୋଟି ଟଙ୍କା, ଜାତୀୟ ଗ୍ରାମ୍ୟ, ପାନୀୟ ଜଳ ପ୍ରକଳ୍ପ ପାଇଁ ୧୦୦ କୋଟି ଟଙ୍କା, ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି ପାଇଁ ୨୦୦.୫୨ କୋଟି ଟଙ୍କା, ସହରାଂଚଳ ଉନ୍ନୟନ ପାଇଁ ୪୧୬.୮୩ କୋଟି ଟଙ୍କା, କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୨୦୦ କୋଟି ଟଙ୍କା, ଅମୃତ ଯୋଜନା ପାଇଁ ୧୬୮.୮୧ କୋଟି ଟଙ୍କା, ଭିତିଭୂମି ଓ ଶିଳ୍ପ କ୍ଷେତ୍ର ଗୁଡ଼ିକୁ ଏକୀକୃତକରି ୨୬୨୩.୩୫ କୋଟି ଟଙ୍କା, ରାଜ୍ୟରେ ରାସ୍ତା ଗୁଡ଼ିକ ଉନ୍ନୟନ ଓ ନିର୍ମାଣ ପାଇଁ ୭୩୦ କୋଟି ଟଙ୍କା, ପୁରୀଠାରେ ମୌଳିକ ସୁବିଧା ପାଇଁ ୭୩୦ କୋଟି ଟଙ୍କା, ଆରଜିଜିଭିୱାଇ ଯୋଜନା ପାଇଁ ୮୦୦ କୋଟି ଟଙ୍କା, ଓଡ଼ିଶା ଟ୍ରାନ୍ସମିସନ ପଦ୍ଧତି ଉନ୍ନୟନ ପ୍ରକଳ୍ପ ପାଇଁ ୫୦ କୋଟି ଟଙ୍କା, ନକ୍ସଲ ପ୍ରବଣ ଅଂଚଳରେ ରାସ୍ତା ନିର୍ମାଣ ପାଇଁ ୧୭୬.୫୦ କୋଟି ଟଙ୍କା, ବିଜୁ ସେତୁ ପାଇଁ ୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ସୂଚନାଯୋଗ୍ୟ ଯେ, ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ୧,୩୯,୦୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା ।