ଭୁବନ,ଭୁବନ ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର ଠାରେ ଅବସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଚଳିତ ବର୍ଷ ୨୦୨୨-୨୩ ଶିକ୍ଷାବର୍ଷ ଗତକାଲି ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ଷଷ୍ଠରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ରହିଥିଲାବେଳେ ପ୍ରଥମ ବ୍ୟାଚ୍ ଷଷ୍ଠଶ୍ରେଣୀରେ ୮୪ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ପ୍ରଥମ ଦିବସରେ ୬୭ ଜଣ ବିଦ୍ୟାର୍ଥୀ ଉପସ୍ଥିତ ଥିଲେ । ଗୋଷ୍ଠୀ ଶିକ୍ଷାଧିକାରୀ ତଥା ବିଦ୍ୟାଳୟ ଅଧ୍ୟକ୍ଷ ପ୍ରତାପ କୁମାର ଶତପଥି ଛାତ୍ରଛାତ୍ରୀଙ୍କୁ ନିଜେ ଫୁଲଚନ୍ଦନ ଦେଇ ସ୍ଵାଗତ ଜଣାଇଥିଲେ ଓ ଚକୋଲେଟ, କଲମ ଉପହାର ମଧ୍ୟ ଦେଇଥିଲେ । ପରେ ଆହେ ଦୟାମୟ ବିଶ୍ଵବିହାରୀ ପ୍ରାର୍ଥନା ବୋଲାଯିବା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ।
ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ସୁମତୀ ପ୍ରଧାନ, ପୁଷ୍ପାଞ୍ଜଳି ମିଶ୍ର, ବିଜ୍ଞାନ ଶିକ୍ଷକ ସୁବାଷ ଚନ୍ଦ୍ର ପାତ୍ର, ଗଣିତ ଶିକ୍ଷକ ଦେବପ୍ରସାଦ ସେନ, ଓଡିଆ ଶିକ୍ଷୟିତ୍ରୀ ଶ୍ରୀମତୀ ଶିବାନୀ ବେହେରା, ସିଆର.ସି.ସି. ଶତୃଘ୍ନ ପାତ୍ର ଓ ଅଭିଭାବକମାନେ ଉପସ୍ଥିତ ଥିଲେ । ଭୁବନ ବ୍ଲକର ବହୁ ପ୍ରତୀକ୍ଷିତ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଥିବାରୁ ସ୍ଥାନୀୟ ଅଂଚଳର ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ଆନନ୍ଦ ପ୍ରକାଶ ପାଇଛି ।