ଭୁବନେଶ୍ୱର, ଓଡ଼ିଶା ଲୋକ ସେବା ଆୟୋଗ ଅଧ୍ୟକ୍ଷ ଡ଼. ସତ୍ୟଜିତ ମହାନ୍ତି ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରି ୨୦୨୧-୨୨ର ବାର୍ଷିକ ରିପୋର୍ଟ ପ୍ରଦାନ କରିଛନ୍ତି ।
ଅଧ୍ୟକ୍ଷ ଡ଼. ମହାନ୍ତି ଓଡ଼ିଶା ଲୋକ ସେବା ଆୟୋଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ ।୨୦୨୧-୨୨ରେ ଆୟୋଗ ପ୍ରଥମ କରି ଏକ ନିଯୁକ୍ତି କ୍ୟାଲେଣ୍ଡର ପ୍ରକାଶ କରିଥିଲେ । କୋଭିଡ଼୍ ସମେତ ଅନେକ ବାଧାବିଘ୍ନକୁ ଅତିକ୍ରମ କରି ଆୟୋଗ ଘୋଷିତ ଲକ୍ଷ୍ୟ ପୂରଣରେ ସମର୍ଥ ହୋଇପାରିଥିବା ପ୍ରକାଶ କରି ଅଧ୍ୟକ୍ଷ ଡ଼. ମହାନ୍ତି ଏହି ସମୟରେ ଗ୍ରୁପ୍-‘ଏ’ ଓ ‘ବି’ ରେ ୨୨୭୭ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ସୁପାରିଶ କରିବା ସହ ୨୨ଟି ସରକାରୀ ବିଭାଗରେ ୧୫୩୬ ପଦୋନ୍ନତିକୁ ଆୟୋଗ ସ୍ୱୀକୃତି ଦେଇଥିବା କହିଥିଲେ । ଏହି ସମୟରେ ୨୨୪ଟି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଫଏସଲା କରାଯାଇଛି । ଆୟୋଗ ଏହି ସଫଳତାରେ ଉତ୍ସାହିତ ହୋଇ ୨୦୨୨-୨୩ ପାଇଁ ୨୬ଟି ସରକାରୀ ବିଭାଗରେ ପାଂଚ ହଜାରରୁ ଉର୍ଦ୍ଧ୍ୱ ସରକାରୀ ଚାକିରୀ ପାଇଁ ନିଯୁକ୍ତି କ୍ୟାଲେଣ୍ଡର ପ୍ରକାଶ କରିଛନ୍ତି ।
ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଶୀଘ୍ର ଫଳ ପ୍ରକାଶନ ଉପରେ ଆୟୋଗ ଗୁରୁତ୍ୱ ଦେଉଥିବା ପ୍ରକାଶ କରି ଅଧ୍ୟକ୍ଷ ଡ଼. ମହାନ୍ତି କହିଲେ ଯେ, ଚୟନ ପ୍ରକ୍ରିୟାରେ ବ୍ୟାପକ ପ୍ରବିଧିର ପ୍ରୟୋଗ ଓ ଶୀଘ୍ର ଫଳ ପ୍ରକାଶନକୁ ଅଗ୍ରାଧିକାର ଦିଆଯାଉଛି । ଅନଲାଇନ ପୋର୍ଟାଲ ଓ ସମନ୍ୱିତ ନିଯୁକ୍ତି ପରିଚାଳନା ପଦ୍ଧତିର ଉନ୍ନତିକରଣ କରି ଏହାକୁ ବ୍ୟବହାରୀମାନଙ୍କ ପାଇଁ ସହଜ ଓ ସରଳ କରିବା ପାଇଁ ପ୍ରୟାସ କରାଯାଉଛି । ଚୟନ ପ୍ରକ୍ରିୟାରେ କମ୍ପ୍ୟୁଟରଭିତିକ ପରୀକ୍ଷା ପଦ୍ଧତିକୁ ଗୁରୁତ୍ୱ ଦେଇ ମୁଲ୍ୟାୟନରେ ପ୍ରାର୍ଥୀମାନଙ୍କ ପରିଚୟକୁ ଗୋପ୍ୟ ରଖିବା ନିମନ୍ତେ ଉଦ୍ୟମକୁ ଆହୁରି ଫଳପ୍ରସୂ କରାଯାଉଛି । ଚଳିତ ବର୍ଷ ପରୀକ୍ଷା ଫଳାଫଳ ଶୀଘ୍ର ପ୍ରକାଶନ ଲକ୍ଷ୍ୟରେ ‘ଅନ୍ ସ୍କ୍ରିନ୍’ ମୂଲ୍ୟାୟନ ପଦ୍ଧତିର ପ୍ରଚଳନ କରାଯାଉଛି ।
ଓଡ଼ିଶା ଲୋକ ସେବା ଆୟୋଗ ଚଳିତ ବର୍ଷ ସର୍ବାଧିକ ନିଯୁକ୍ତ ସୁପାରିଶ କରିବେ ବୋଲି ଅଧ୍ୟକ୍ଷ ଡ଼. ମହାନ୍ତି ପ୍ରକାଶ କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆୟୋଗଙ୍କ ସଂସ୍କାରମୂଳକ ଓ ପ୍ରଗତିଶୀଳ କାର୍ଯ୍ୟର ପ୍ରଶଂସା କରିବା ସହ ଏହାକୁ ଆହୁରି ବ୍ୟାପକ ଓ ଅନ୍ତର୍ଭୁକ୍ତି କରିବାକୁ ପରାମର୍ଶ ଦେଇଥିଲେ ।