ଭୁବନେଶ୍ୱର, ଦିଲ୍ଲୀରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ମୁଖ୍ୟାଳୟ ଠାରେ ଦିଲ୍ଲୀ ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଥିବା ପ୍ରତିବାଦରେ ରାଜ୍ୟ କଂଗ୍ରେସ ପକ୍ଷରୁ ରାଜଭବନ ସାମନାରେ ବିରୋଧ ପ୍ରଦର୍ଶନ କରାଯାଇଛି । ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକ ଏହି ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି ।
ଏହି ଅବସରରେ ସେ କହିଛନ୍ତି ଯେ ବୁଧବାର ଯେଉଁଭଳି ଭାବରେ ୨୪ ଆକବର ରୋଡ଼, ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ କଂଗ୍ରେସ କାର୍ଯ୍ୟାଳୟ ଭିତରେ ପ୍ରବେଶ କରି ଏବଂ ଭାରତୀୟ ଜାତୀୟ କଂଗ୍ରେସର ବିଭିନ୍ନ କାର୍ଯ୍ୟକର୍ତା ଓ କର୍ମୀମାନଙ୍କୁ କାର୍ଯ୍ୟାଳୟ ଭିତରକୁ ନ ଛାଡ଼ିବା ଏହା ସ୍ୱାଧୀନ ଭାରତ ବର୍ଷରେ କେବେ ଦେଖାଯାଇନଥିଲା । କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ୧୪୪ ଧାରା ଜାରି କରି ଦିଲ୍ଲୀ ପୁଲିସ୍,କର୍ମକର୍ତାମାନଙ୍କୁ କାର୍ଯ୍ୟାଳୟ ପରିସର ମଧ୍ୟକୁ ପ୍ରବେଶ କରିବାକୁ ଦେଲା ନାହିଁ ଏବଂ ଯେଉଁମାନେ ପ୍ରତିବାଦ କଲେ ସେମାନଙ୍କ ଉପରେ ଲାଠିମାଡ଼ କଲା । ଏହାର ପ୍ରତିବାଦରେ ଏହି ବିରୋଧ ପ୍ରଦର୍ଶନ କରାଯାଉଛି ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ଏବଂ ବର୍ତମାନ ସାଂସଦ ଶ୍ରୀରାହୁଲ ଗାନ୍ଧୀଙ୍କୁ ଲଗାତାର ୩ ଦିନ ଧରି ଇ.ଡ଼ି. ପଚରା ଉଚରା ପାଇଁ ଡାକୁଛନ୍ତି, ଯେଉଁଥିରେ ମନି ଲଣ୍ଡରିଙ୍ଗ ହୋଇଥିବାର ସାମାନ୍ୟତମ ଯଥାର୍ଥତା ନାହିଁ । କଂଗ୍ରେସ ଓ ଗାନ୍ଧୀ ପରିବାରକୁ ଜନମାନସରେ ନିନ୍ଦିତ କରିବା ପାଇଁ ଏକଛତ୍ରବାଦୀ ନରେନ୍ଦ୍ର ମୋଦୀଙ୍କ ବି.ଜେ.ପି ସରକାର ସି.ବି.ଆଇ., ଆଇ.ଟି. ଓ ଇ.ଡ଼ି. ଆଦି ସଂସ୍ଥାକୁ ହାତ ବାରିଶ୍ କରି ବିରୋଧି ବିଶେଷ କରି କଂଗ୍ରେସର ନେତାମାନଙ୍କୁ ଶିକାର କରୁଛନ୍ତି । କଂଗ୍ରେସ ଏହାର ଦୃଢ଼ ନିନ୍ଦା କରୁଛି ବୋଲି ସେ କହିଛନ୍ତି । ଏହି ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମରେ କଂଗ୍ରେସର ଅନେକ ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ ।